ସମସ୍ତ ପ୍ରକାର କ୍ରିକେଟକୁ ‘ଗୁଡ୍ ବାଏ’ କହିଲେ ବିଶ୍ୱକପ୍ ବିଜୟୀ ଅଧିନାୟକ । ଦୁଇଟି ଦେଶ ପକ୍ଷରୁ ଖେଳିଥିଲେ ଅନ୍ତର୍ଜାତୀୟ କ୍ରିକେଟ୍ ।

1,624

କନକ ବ୍ୟୁରୋ: ସମସ୍ତ ପ୍ରକାର କ୍ରିକେଟକୁ ଗୁଡ୍ ବାଏ କହିଲେ ବିଶ୍ୱକପ୍ ବିଜୟୀ ଅଧିନାୟକ । ଇଂଲଣ୍ଡର ପୂର୍ବ ଅଧିନାୟକ ଇଆନ୍ ମୋର୍ଗାନ୍ ସୋମବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇ ଘୋଷଣା କରିଛନ୍ତି । ତେବେ ୩୬ ବର୍ଷୀୟ ଏହି କ୍ରିକେଟ ଟ୍ୱିଟର ଜରିଆରେ ଏହି ସୂଚନା ଦେଇଛନ୍ତି । ଏଥିସହତ ସେ ବହୁତ ବିଚାର ବିମର୍ଶ କରି ଏହି ଖେଳଠୁ ଦୂର ହେବାକୁ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି ।ଇଂଲଣ୍ଡର ଏହି ବିଶ୍ୱକପ୍ ବିଜୟୀ ଅଧିନାୟକ ୨୦୧୯ ମସିହାରେ ଇଂଲଣ୍ଡକୁ ବିଶ୍ୱ ଚାମ୍ପିୟନ୍ କରାଇଥିଲେ । ତାଙ୍କ ନେତୃତ୍ୱରେ ଇଂଲଣ୍ଡ ପ୍ରଥମ କରି ଦିନିକିଆ ବିଶ୍ୱକପ୍ ଜିତିଥିଲା । ନିଜ କ୍ୟାରିୟର ଭିତରେ ମୋର୍ଗାନ୍ ୧୨୬ଟି ଦିନିକିଆ ଓ ୭୨ଟି ଟି-୨୦ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ଯେଉଁଥିରୁ ମିଳିତ ଭାବେ ସେ ୧୧୮ଟି ମ୍ୟାଚରେ ବିଜୟୀ ହେବାର ରେକର୍ଡ ଅର୍ଜନ କରିଛନ୍ତି ।

ମୋର୍ଗାନ ଦିନିକିଆରେ ପାଖାପାଖି ୭ ହଜାର ରନ୍ ସ୍କୋର କରିଥିବାବେଳେ, ଟି-୨୦ରେ ୨୪୫୮ ରନ୍ ସଂଗ୍ରହ କରିଛନ୍ତି । ତେବେ ଇଂଲଣ୍ଡ ଦଳରେ ସାମିଲ ହେବା ପୂର୍ବରୁ ଏହି କ୍ରିକେଟର ଜଣକ ଆର୍ୟଲ୍ୟାଣ୍ଡ ପକ୍ଷରୁ ମଧ୍ୟ କ୍ରିକେଟ୍ ଖେଳିଥିଲେ । ୧୬ ବର୍ଷ ବୟସରେ ସେ ଡେବ୍ୟୁ କରିଥିଲେ । ସେ ସର୍ବମୋଟ ୨୪୮ଟି ଦିନିକିଆ, ୧୧୫ଟି ଟି-୨୦ ଖେଳିବା ସହିତ ଏଥିରୁ ୧୦ ହଜାର ୧୫୯ ରନ୍ କରିଥିଲେ । ଇଆନ୍ ମୋର୍ଗାନ୍ ନିଜ କ୍ୟାରିୟର ଭିତରେ ୧୬ଟି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳିଥିଲେ ।

ସୂଚନାଯୋଗ୍ୟ ଯେ, କ୍ରିକେଟ୍ ଜଗତରେ ଇଆନ୍ ମୋର୍ଗାନ୍ କେବଳ ଜଣେ ସଫଳ ଅଧିନାୟକ ନୁହଁ, ବରଂ ଜଣେ ଭଲ ବ୍ୟାଟ୍ସମ୍ୟାନ୍ ମଧ୍ୟ । ଲମ୍ବା ସମୟ ଧରି ସେ ଇଂଲଣ୍ଡର ଅଧିନାୟକ ରହିଥିଲେ । ଇଂଲଣ୍ଡ ଦଳରେ ସାମିଲ ହେବା ପୂର୍ବରୁ ସେ ଆର୍ୟଲ୍ୟାଣ୍ଡ ପକ୍ଷରୁ କ୍ରିକେଟ୍ ଖେଳୁଥିଲେ । ତେବେ ଆର୍ୟଲ୍ୟାଣ୍ଡ ଦଳରେ ଚମକ୍ରାର ପ୍ରଦର୍ଶନ ପରେ ସେ ଇଂଲଣ୍ଡ ଦଳରେ ସାମିଲ ହେବା ସହ ଦଳପକ୍ଷରୁ ଅଧିନାୟକ ମଧ୍ୟ ନିଯୁକ୍ତ ହୋଇଥିଲେ ।