ହାତୀ ପାଇଁ ରାତି ଉଜାଗର: ସୁନ୍ଦରଗଡର ବାଲିଶଙ୍କରାରେ ଚାଲିଛି ହାତୀ-ମଣିଷ ଲଢେଇ 

110

କନକ ବ୍ୟୁରୋ: ଦିନେ କି ଦୁଇଦିନ ନୁହଁ, ବର୍ଷ ତମାମ ଏଠି ଚାଲେ ହାତୀ ମଣିଷ ଲଢେଇ ,କେତେ ବେଳେ ହାତୀ ଗାଁକୁ ପଶି ଆସି ଘର ଦୁଆର ଭାଙ୍ଗେ ତ ଆଉ କେତେବେଳେ ବିଲକୁ ପଶି ଫସଲ ନଷ୍ଟ କରେ । ବର୍ଷବର୍ଷ ଧରି ହାତୀ ଦାଉରୁ ସୁରକ୍ଷା ପାଇଁ ଲୋକେ କରୁଛନ୍ତି ସଂଘର୍ଷ । ରାତିରାତି ଅନିଦ୍ରା ରହନ୍ତି ଗ୍ରାମବାସୀ ।

ହାତରେ ନିଆଁ ହୁଳାଧରି, ବାଣଫୁଟାଇ ହାତୀ ଘଉଡାଉଛନ୍ତି ଗ୍ରାମବାସୀ । ଦିନେ କି ଦୁଇ ଦିନ ନୁହେଁ ବର୍ଷ ତମାମ ଚାଲେ ଏମିତି କାମ । ଏହେଉଛି ଜନବସତିରେ ହାତୀ-ମଣିଷ ଲଢେଇ ବେଳର ଦୃଶ୍ୟ । ଦିନବେଳା ଶୁନଶାନ ରହୁଥିବା ଗାଁ ଦାଣ୍ଡରେ ସଂଧ୍ୟା ହେଲେ ବଢିଯାଏ କୋଳାହଳ । ଗାଁର ସୀମା ଜଗନ୍ତି ଗ୍ରାମବାସୀ । ହାତୀ ଭୟରେ ନିଆଁ ହୁଳା, ଟର୍ଚ୍ଚ ଲାଇଟ୍ ଧରି ସ୍ଥାନେ ସ୍ଥାନେ ନିଆଁ ଜାଳି ଜଗି ରହିଥାନ୍ତି ଲୋକେ ।

କାଙ୍କେରଜୁରା ଗାଁର ହାତୀ ଘଉଡା ଅଭିଯାନରେ ସାମିଲ ହୋଇଥିଲା କନକ ନ୍ୟୁଜ । ରାତି ତମାମ ଗ୍ରମବାସୀଙ୍କ ସହ ଥିଲେ ଆମ ପ୍ରତିନିଧି । ରାତି ପ୍ରାୟ ୧୧ଟା ବେଳେ ଏକ ଦନ୍ତା ହାତୀ ଗାଁକୁ ଆସୁଥିବା ବେଳେ ଲୋକେ ଆରମ୍ଭ କରିଦିଅନ୍ତି ଘଉଡାଇବା ଅଭିଯାନ ।.. ପ୍ରାୟ ୨ ଘଂଟାର ଉଦ୍ୟମ ପରେ ହାତୀ ଗାଁ ପାଖ ଜଙ୍ଗଲକୁ ଚାଲିଯାଇଥିଲା, ଲୋକେ ପିଲାଛୁଆଙ୍କୁ ଧରି ଛାତ ଉପରେ ଆଶ୍ରୟ ନିଅନ୍ତି ।

ହାତୀ-ମଣିଷ ଲଢେଇ ଭିତରେ ଘରଦ୍ୱାର, ଫସଲ ଓ ଧନଜୀବନ ନଷ୍ଟ ହେଉଛି । ହାତୀ ଆକ୍ରମଣରେ କାଙ୍କେରଜୁରା ଗାଁର ୪ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କେବଳ କାଙ୍କେରଜୁରା ଗାଁ ନୁହେଁ । ସୁନ୍ଦରଗଡ ବନଖଣ୍ଡର ସଦର ଫରେଷ୍ଟ ରେଞ୍ଜ, ଉଜ୍ଜଳପୁର, ଗୋପାଳପୁର , ହେମଗିରି, ବଡଗାଁ, ଲେଫ୍ରିପଡା ଫରେଷ୍ଟ ରେଞ୍ଜର ଶତାଧିକ ସୀମାବର୍ତି ଗାଁରେ ଏମିତି ଚିତ୍ର ଦେଖିବାକୁ ମିଳେ । ବର୍ଷବର୍ଷ ଧରି ହାତୀ ଭୟରେ ରହୁଥିବା ଗ୍ରାମବାସୀ ସୁରକ୍ଷା ପାଇଁ ଦାବି କରିଛନ୍ତି । ଗାଁକୁ ସଂପୂର୍ଣ୍ଣ ସୋଲାର ବିଦ୍ୟୁତିକରଣ କରିବା ସହ ସମସ୍ତଙ୍କୁ ପକ୍କାଘର ଯୋଗାଇ ଦେବାକୁ ଦାବି ହୋଇଛି ।

ବିଗତ ଦିନର ସ୍ଥିତିକୁ ଦେଖିଲେ ଯାହା ଅନୁମାନ କରାଯାଏ, ୫ ବର୍ଷରେ ପ୍ରାୟ ୧୫ଶହରୁ ଅଧିକ ଘର ଭାଙ୍ଗିଥିବା ହାତୀପଲ ୨ ହଜାରରୁ ଅଧିକ ଏକର ଫସଲ ନଷ୍ଟ କରିଛନ୍ତି । ସେହିପରି ଏହି ସମୟ ମଧ୍ୟରେ ହାତୀ ଆକ୍ରମଣରେ ୨୫ ଜଣଙ୍କ ଜୀବନ ଯାଇଛି । ୩ଟି ହାତୀର ମଧ୍ୟ ମୃତ୍ୟୁ ହୋଇଛି । ତେବେ ଉଭୟ ହାତୀ ଏବଂ ଲୋକଙ୍କ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ପ୍ରାୟସ କରାଯାଉଛି ବୋଲି ଜିଲ୍ଲପାଳ କହିଛନ୍ତି ।