ଦେଶରେ ଓମିକ୍ରନକୁ ନେଇ ଆସିଲା ଭଲ ଖବର, ସୁସ୍ଥ ହୋଇଛନ୍ତି ୩୨୦ ଜଣ ସଂକ୍ରମିତ

98

କନକ ବ୍ୟୁରୋ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ । କେଉଁ ଦେଶ କରୋନା କଟକଣାକୁ କଡାକଡି କଲାଣି ତ କିଏ ଓମିକ୍ରନ ସଂକ୍ରମଣରୁ ରକ୍ଷା ପାଇବାକୁ ଟିକାର ବୁଷ୍ଟର ଡୋଜ ଲଗାଇବା ସହ କିଶୋର ମାନଙ୍କୁ ଟିକା ଦେବାକୁ ଘୋଷଣା କଲାଣି । ଏହାରି ଭିତରେ ଓମିକ୍ରନକୁ ନେଇ ଭଲ ଖବର ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ।

ଏକ ସାମ୍ବାଦିକ ସମ୍ମିଳନୀରେ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି କି ଏପର୍ଯ୍ୟନ୍ତ ଦେଶରେ ୯୬୧ ଜଣ ଓମିକ୍ରନ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨୦ ଜଣ ସୁସ୍ଥ ହୋଇଛନ୍ତି । ଏହି ଖବର ଏକ ଆଶ୍ୱସ୍ଥିକର ଖବର । କାରଣ ଲୋକମାନଙ୍କ ମଧ୍ୟରେ ଓମିକ୍ରନକୁ ନେଇ ଅନେକ ଆଶଂକା ରହିଛି । କିନ୍ତୁ ଲବ୍ ଅଗ୍ରୱାଲଙ୍କ ସୂୂଚନା ପରେ ଅନୁମାନ କରାଯାଉଛି କି କରୋନାର ଅନ୍ୟ ଭାରିଆଣ୍ଟ ଭଳି ଓମିକ୍ରନ ଭାରିଆଣ୍ଟ ଏତେଟା ବିପଦ ନୁହେଁ । କରୋନା ସଂକ୍ରମିତଙ୍କୁ କରାଯାଉଥିବା ଚିକିତ୍ସା ପଦ୍ଧତିରେ ଚିକିତ୍ସା କରାଗଲେ ଓମିକ୍ରନ ସଂକ୍ରମଣରୁ ମଧ୍ୟ ଜୀବନକୁ ରକ୍ଷା କରାଯାଇ ପାରିବ ବୋଲି ଜଣାପଡିଛି ।

 

ଦେଶରେ କରୋନା ସଂକ୍ରମଣ ମାମଲା ପୁଣିଥରେ ଉପରମୁହାଁ ହୋଇଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୩ ହଜାରରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସରକାର କହିଛନ୍ତି କି, କରୋନାର ତାଜା ସ୍ଥତି ଦେଖିବା ପରେ ଦେଶବାସୀଙ୍କ ପାଖରେ ସତର୍କ ହିଁ ଏକମାତ୍ର ରାସ୍ତା ବଞ୍ଚିଛି । ସ୍ୱାସ୍ଥ୍ୟମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି କି ଏବେ ଦେଶରେ ଆକ୍ଟିଭ ମାମଲା ୮୨,୪୦୨ ରହିଛି । ଚଳିତ ସପ୍ତାହରେ ଦୈନିକ ହାରାହାରି ୮୦୦୯ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପୂର୍ବ ୩/୪ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଲଗାତର ଭାବେ ବୃଦ୍ଧି ପାଉଛି । ସେ କହିଛନ୍ତି କି ଦେଶର ୮ ଟି ଜିଲ୍ଲାରେ ପଜିଟିଭ ହାର ୧୦ ପ୍ରତିଶତ ରହିଥିବା ବେଳେ ୧୪ ଟି ଜିଲ୍ଲାରେ ସାପ୍ତାହିକ ପଜିଟିଭ ହାର ୫ ରୁ ୧୦ ପ୍ରତିଶତ ମଧ୍ୟରେ ରହିଛି । ଏସବୁ ରାଜ୍ୟକୁ ଲଗାତର ଭାବେ ଦିଶା ନିର୍ଦ୍ଦେଶ ଜାରି କରାଯାଉଥିବା କଥା ଅଗ୍ରୱାଲ କହିଛନ୍ତି ।