ନିର୍ବାଚନ ଉପରେ ସୋସିଆଲ୍ ମିଡିଆ ପ୍ରଭାବ । ଫେକ୍ ନ୍ୟୁଜ ଉପରେ ରହିବ ନିର୍ବାଚନ କମିସନଙ୍କ ନଜର

78

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଘୁରିବୁଲୁଛି ମାଳମାଳ ଖବର । ସତ ହେଉ ବା ମିଛ ହେଉ ଚାହୁଁ ଚାହୁଁ ନିଆଁ ଭଳି ହେଉଛି ଭାଇରାଲ । ମୁହୁର୍ତ୍ତକ ମଧ୍ୟରେ ବ୍ୟାପିଯାଉଛି ଅପପ୍ରଚାର । ବିଶେଷଜ୍ଞଙ୍କ ମତରେ, ସୋସିଆଲ୍ ମିଡିଆର ଅପବ୍ୟବହାର କରି ଆସନ୍ତା ନିର୍ବାଚନକୁ ଭୁଲ ଦିଗକୁ ନେବା ପାଇଁ ଉଦ୍ୟମ କରାଯାଇପାରେ । ଏପରିକି ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ଅପପ୍ରୟୋଗ କରି ଲୋକଙ୍କୁ ବିଭ୍ରାନ୍ତ କରିବା ନେଇ ଅପଚେଷ୍ଟା ହୋଇପାରେ । ଯାହା ୨୦୨୪ ନିର୍ବାଚନକୁ ପ୍ରଭାବିତ କରିବା ଆଶଙ୍କା ରହିଛି ।

  • ମିଛ ଖବର ପ୍ରଚାର କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ଫେକ୍ ନ୍ୟୁଜ୍ ସେୟାର ନକରିବାକୁ ନିର୍ବାଚନ କମିସନଙ୍କ ଆହ୍ୱାନ

ସମାଲୋଚନା ଆଳରେ ମିଛ ଖବର ପ୍ରସାରଣ କରିବାକୁ ଦିଆଯିବ ନାହିଁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି ନିର୍ବାଚନ କମିସନ୍ । କେବଳ ଏତିକି ନୁହେଁ, ଏହାକୁ ରୋକିବାକୁ ବିଭିନ୍ନ ପଦକ୍ଷେପ ମଧ୍ୟ ନେଇଛନ୍ତି । ଫେକ୍ ନ୍ୟୁଜକୁ ସେୟାର ନକରିବାକୁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ନିର୍ବାଚନ କମିସନ । ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି…

  • ସୋସିଆଲ୍ ମିଡିଆର ବ୍ୟାପକତା ଦୃଷ୍ଟିରୁ ଏହାକୁ କିପରି ନିୟନ୍ତ୍ରଣ କରାଯିବ?
  • ଗଦା ଗଦା ଖବର ଭିତରୁ ଅପପ୍ରଚାରକୁ ଚିହ୍ନଟ କରିବା ସହଜ ହେବ କି?
  • ଏଆଇ ଜରିଆରେ ପ୍ରସ୍ତୁତ ଡିପ୍ଫେକ୍ ଭିଡିଓର ସତ୍ୟାସତ୍ୟ କିପରି ଜାଣିପାରିବେ ଲୋକ?

କୁହାଯାଉଛି, ୨୦୨୪ ନିର୍ବାଚନକୁ ବିଶେଷ ଭାବେ ପ୍ରଭାବିତ କରିବ ସୋସିଆଲ୍ ମିଡିଆ । କାରଣ, କମ୍ ମାନବ ସମ୍ବଳ ଏବଂ କମ୍ ଖର୍ଚ୍ଚରେ ପ୍ରଚାର ପାଇଁ ବଡ଼ ମାଧ୍ୟମ ହେଉଛି ଡିଜିଟାଲ ମିଡିଆ । ଏହାକୁ ନିୟନ୍ତ୍ରଣକୁ ଆଣିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ।