ଦିନେ ଥିଲେ ଜାତୀୟ ସ୍ତରର କ୍ରିକେଟ୍ ଖେଳାଳି । ହେଲେ ଏବେ ଛେଳି ଚରାଉଛନ୍ତି ଭାଗ୍ୟବତୀ ।

190

କନକ ବ୍ୟୁରୋ: କ୍ରିକେଟରେ ଜାତୀୟସ୍ତର ଓ ଫୁଟବଲରେ ରାଜ୍ୟସ୍ତରରେ ସଫଳତା ପାଇଛନ୍ତି । କିନ୍ତୁ ଆର୍ଥିକ ଅନଟନ ଯୋଗୁଁ ଏହି ସଫଳତା ମଳିନ ପଡ଼ିବାକୁ ବସିଲାଣି । ଯଦିଓ ପରିସ୍ଥିତିରେ ପଡ଼ି ବ୍ୟାଟ୍ ଓ ବଲ ବଦଳରେ ଛେଳି ଚରାଇବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ଏବେ ବି କ୍ରିକେଟ୍ ଓ ଫୁଟ୍ବଲ ଭଳି ରହିଛି ସେହି ରୁଚି । କାଳେ କେତେବେଳେ ଖେଳିବା ପାଇଁ ଆସିଯିବ ଡାକରା, ସେହି ଅପେକ୍ଷାରେ ରହିଛନ୍ତି ନବରଙ୍ଗପୁର ଜିଲ୍ଲାର ଭାଗ୍ୟବତୀ ଭତ୍ରା ।

  • ବ୍ୟାଟ୍ ବଦଳରେ ଧରୁଛନ୍ତି ଝାଡ଼ୁ
  • ଜାତୀୟସ୍ତରର ଖେଳାଳି ଏବେ ଛେଳି ଚରାଳି

କେତେବେଳେ ଘରେ ଝାଡ଼ୁ ମାରୁଛନ୍ତି ତ, କେତେବେଳେ ହାଣ୍ଡିଶାଳରେ ବିତୁଛି ଜୀବନ । ଆଉ ବାକି ସମୟ ଛେଳି ଚରାଇବରେ ଦିନ ଯାଉଛି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଖୁଂଟିଆ ଗ୍ରାମର ଭାଗ୍ୟବତୀ ଭତ୍ରା । କ୍ରୀଡ଼ା କ୍ଷେତ୍ରରେ ଜାତୀୟ ସ୍ତରରେ ସଫଳତା ପାଇଥିବା ଭାଗ୍ୟବତୀଙ୍କ ଭାଗ୍ୟ ବଦଳିବା ବଦଳରେ ପତନ ହୋଇଛି । ଏବେ ସେ ଛେଳି ଚରାଇବାକୁ ବାଧ୍ୟ ହେଉଛନ୍ତି । ନବରଙ୍ଗପୁର ମହିଳା କଲେଜରେ ପାଠ ପଢିଥିବା ଭାଗ୍ୟବତୀ କ୍ରିକେଟ ଓ ଫୁଟବଲରେ ଜିଲ୍ଲା ଓ ରାଜ୍ୟସ୍ତରରେ ଖୁବ ପ୍ରଶଂସା ସାଉଣ୍ଟିଛନ୍ତି । କିନ୍ତୁ ଏବେ ସେହି ବ୍ୟାଟ୍ ଓ ଫୁଟ୍ବଲ ପ୍ରତିଭା ଯେପରି ଖତ ଖାଇଯାଇଛି । ଆର୍ଥିକ ଅଭାବ କାରଣରୁ ଭାଗ୍ୟବତୀଙ୍କ ଜୀବନ ଏବେ ଦୁର୍ଦ୍ଦିନରେ କଟୁଛି ।

ବଣମଲ୍ଲୀ ବଣରେ ଫୁଟି ମଉଳିଗଲା ଭଳି ଭାଗ୍ୟବତୀଙ୍କ ପ୍ରତିଭା ତାଙ୍କ ଗାଁ ଦାଣ୍ଡଧୂଳିରେ ହଜିଯାଉଛି । ଆର୍ଥିକ ଅନଟନ ଦେଇ ଗତି କରୁଥିବା ଭାଗ୍ୟବତୀଙ୍କ ପରିବାର ପାଇଁ ଝିଅର ଇଚ୍ଛାକୁ ପୂରଣ କରିବାକୁ ଅସମର୍ଥ । ଘରର ପରସ୍ଥିତିକୁ ଦେଖି ଭାଗ୍ୟବତୀ ଛେଳି ଚରାଇବା ସହ ଚାଷ କାମରେ ପରିବାର ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଟିକିଏ ଫୁରସତ ପାଇଲେ, ଅଭ୍ୟାସ ପାଇଁ କ୍ରିକେଟ ବ୍ୟାଟ୍ ଧରି ଚାଲିଯାଆନ୍ତି ମଇଦାନକୁ । କାଳେ କେତେବେଳେ ଖେଳିବା ପାଇଁ ମିଳିବ ଡାକରା, ସେହି ଆଶାରେ ଆଜିବି ନିଜକୁ ଫିଟ ରଖିଛନ୍ତି । ଏତେ ପ୍ରତିଭାବାନ ସତ୍ୱେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରୋତ୍ସାହନ ନମିଳିବାରୁ ଦୁଃଖ ପ୍ରକାଶ କରିଛନ୍ତି ଭାଗ୍ୟବତୀଙ୍କ ପରିବାର ।

ଭାଗ୍ୟବତୀ ଓଡ଼ିଶା ମହିଳା କ୍ରିକେଟ୍ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରି ବହୁ ପୁରସ୍କାର ପାଇଛନ୍ତି । ଏପରିକି ରାଜ୍ୟସ୍ତରୀୟ ଫୁଟବଲରେ ପ୍ରତିନିଧିତ୍ୱ ନିଜ ଜିଲ୍ଲା ପାଇଁ ସୁନାମ ମଧ୍ୟ ଆଣିଛନ୍ତି । ଭାଗ୍ୟବତୀଙ୍କ ଭଳି ପ୍ରତିଭାବାନ ଖେଳାଳିଙ୍କୁ ଜିଲ୍ଲା ପ୍ରଶାସନ ଆବଶ୍ୟକ ସହାୟତା ଯୋଗାଇ ଦେଲେ, ପୁଣିଥରେ ନିଜ ପ୍ରତିଭାକୁ ପ୍ରଦର୍ଶିତ କରିପାରିବେ ।