ମେଡ଼ିକାଲରେ ନାହାନ୍ତି ଡାକ୍ତର ଓ ଫାର୍ମାସିଷ୍ଟ । ରାତ୍ରି ଜଗୁଆଳି କରୁଛନ୍ତି ରୋଗୀଙ୍କ ଚିକିତ୍ସା

68

କନକ ବ୍ୟୁରୋ: ରାତ୍ରି ଜଗୁଆଳିଙ୍କ ହାତରେ ଚିକିତ୍ସା ଭାର । କୋରାପୁଟ ସଦର ମହକୁମାର ବଡ଼ସୁକୁ ପଞ୍ଚାୟତରେ ଥିବା ଡାକ୍ତରଖାନାରୁ ଆସିଛି ଏଭଳି ଖବର । ଏହି ଡାକ୍ତରଖାନା ଉପରେ ଦୁଇଟି ପଞ୍ଚାୟତର ପ୍ରାୟ ୧୫ ହଜାର ଲୋକ ନିର୍ଭର କରନ୍ତି । କିନ୍ତୁ ମେଡ଼ିକାଲରେ ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି ହୋଇଥିବାବେଳେ ସେମାନେ ଡାକ୍ତରଖାନାକୁ ଆସୁନଥିବା ଅଭିଯୋଗ ହୋଇଛି । ଡ଼ାକ୍ତର ଓ ଫାର୍ମାସିଷ୍ଟ ଅନୁପସ୍ଥିତ ଥିବା ସମୟରେ ନିଜେ ରାତ୍ରି ଜଗୁଆଳି ରୋଗୀଙ୍କୁ ଇଂଜେକ୍ସନ୍ ଦେଉଥିବାର ଦେଖିବାକୁ ମିଳିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ରୋଗୀଙ୍କର କିଛି ଅସୁବିଧା ହୁଏ ଏଥିପାଇଁ ଦାୟୀ କିଏ ହେବ । ଉତ୍ତମ ଚିକିତ୍ସା ପାଇଁ ରୋଗୀ ଏଠାକୁ ଆସୁଥିବା ବେଳେ ଡାକ୍ତର ବଦଳରେ ଜଗୁଆଳି କରୁଛନ୍ତି ଚିକିତ୍ସା । ସେହିପରି ମେଡ଼ିକାଲ ଗୃହକୁ ବିଜୁଳୀ ସଂଯୋଗ ମଧ୍ୟ ହୋଇନାହିଁ । ମେଡ଼ିକାଲ ପରିସରରେ ଟ୍ୟୁବୱେଲ ଅଛି କିନ୍ତୁ ସେଥିରୁ ପାଣି ବାହାରୁନାହିଁ । କୋରାପୁଟ ହେଡକ୍ୱାଟରରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ଏହି ଡାକ୍ତରଖାନାର ଏଭଳି ଅବ୍ୟବସ୍ଥା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିନା ତାଲିମପ୍ରାପ୍ତ ରାତ୍ରି ଜଗୁଆଳିଙ୍କ ହାତରେ ଚାଲିଛି ରୋଗୀଙ୍କ ଚିକିତ୍ସା ।