ମହିଳା କମିଶନରେ ଦୀପିକା । କହିଲେ, ପୁଅକୁ ବାପାର ପରିଚୟ ନମିଳିବା ପର୍ଯ୍ୟନ୍ତ ଜାରି ରହିବ ଲଢ଼େଇ ।

96

କନକ ବ୍ୟୁରୋ : ପୁଅକୁ ବାପା ପରିଚୟ ଦେବା ପାଇଁ ଜାରି ରହିଛି ଦୀପିକାଙ୍କ ଲଢେଇ । ବ୍ରହ୍ମପୁରର କେ. ଦୀପିକା ଆଜିବି ମହିଳା କମିଶନଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି । ସେ କହିଛନ୍ତି ତାଙ୍କ ପୁଅର ବାପା ଦୀନେଶ ବୋଲି ଡିଏନଏ ଟେଷ୍ଟ ହୋଇ ସାରିଛି । ସେପଟେ ଦୀନେଶ ଆଜି ବି କମିଶନଙ୍କ ନିକଟରେ ହାଜର ହୋଇ ନାହାଁନ୍ତି । ହେଲେ ତାଙ୍କ ଓକିଲ ଦୀନେଶ ପାଇଁ ପକ୍ଷ ରଖିଛନ୍ତି ।

ଦ୍ୱିତୀୟ ଦିନରେ ପୁଣି ଥରେ ମହିଳାଙ୍କ କମିସନଙ୍କ ନିକଟରେ ହାଜର ହୋଇଛନ୍ତି ବ୍ରହ୍ମପୁରର ଦୀପିକା । ଆଉ କମିଶନଙ୍କ ଆଗରେ ନିଜର ପକ୍ଷ ରଖିଛନ୍ତି । ବାହାରକୁ ଆସିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ତାଙ୍କ ପୁଅର ବାପା ପରିଚୟ ପାଇଁ ସେ ଲଢେଇ କରୁଛନ୍ତି । ଦିନେଶ ହିଁ ତାଙ୍କ ପିଲାର ବାପା ବୋଲି ପ୍ରମାଣ ରହିଛି । ଏ ସଂପର୍କରେ କୋର୍ଟଙ୍କ ନିର୍ଦ୍ଦେଶରେ ଡିଏନଏ ଟେଷ୍ଟ କରାଯାଇଛି ଓ ମୁଦା ଲଫାଫାରେ ରିପୋର୍ଟକୁ କୋର୍ଟରେ ଦାଖଲ କରାଯାଉ । ପୁଅକୁ ପ୍ରଥମେ ବାପାର ପରିଚୟ ମିଳୁ । ପରବର୍ତୀ ସମୟରେ ସେ କୋର୍ଟରେ ନ୍ୟାୟିକ ଲଢେଇ କରିବେ । ହେଲେ, ପୁଅକୁ ବାପାର ପରିଚୟ ନମିଳିବା ଯାଏ ସେ ଧାରଣାରେ ବସିବେ ।

ଦୀପିକା ହାଜର ହୋଇଥିଲେ ମଧ୍ୟ ଆଜି ବି କମିଶନଙ୍କ ନିକଟରେ ହାଜର ହୋଇନଥିଲେ ପ୍ରେମିକ ଦୀନେଶ । କିନ୍ତୁ ଦୀନେଶଙ୍କ ଓକିଲ ହାଜର ହୋଇ ତାଙ୍କ ପକ୍ଷ ରଖିଥିଲେ । ପରିବାର ସଦସ୍ୟଙ୍କ ଦେହ ଖରାପ କାରଣ ଦର୍ଶାଇ ଦୀନେଶ ଅନୁପସ୍ଥିତ ରହିଥିଲେ । ଆଲୋଚନା ପାଇଁ ଆଉ ଏକ ତାରିଖ ଦେବାକୁ ନିବେଦନ କରିଛନ୍ତି । ତେବେ ଓକିଲଙ୍କ ସହ ମହିଳା କମିଶନ ଅଧକ୍ଷା ବିବାଦର ସମାଧାନ ନେଇ ଆଲୋଚନା କରିଛନ୍ତି । ଆଉ ଆଲୋଚନା ଭଲ ହୋଇଛି ବୋଲି କହିଛନ୍ତି, ଦୀପିକା ଓ ଦୀନେଶଙ୍କ ଓକିଲ ।

ଦୀନେଶ ହାଜର ହୋଇନଥିଲେ ବି ତାଙ୍କ ଓକିଲ ଓ ଦୀପିକାଙ୍କ ସହ ମହିଳା କମିଶନ ଅଧ୍ୟକ୍ଷା ପ୍ରାୟ ୨ଘଂଟା ଆଲୋଚନା କରିଥିଲେ । ଆଉ ବିବାଦର ସମାଧାନ ପାଇଁ ଉଭୟ ପକ୍ଷଙ୍କୁ କହିଛନ୍ତି । ୭୦ ଦିନରୁ ଅଧିକ ଦିନ ହେବ ପତ୍ନୀର ମାନ୍ୟତା ଦାବି କରି ପ୍ରେମିକ ଘର ଆଗରେ ଧାରଣା ଦେଇଛନ୍ତି ଦୀପିକା । ହେଲେ, ଦୀନେଶ ଏପର୍ଯ୍ୟନ୍ତ ସାମନାକୁ ଆସି ନାହାଁନ୍ତି । ଡିଏନଏ ଟେଷ୍ଟ ହୋଇଛି କି ନାହିଁ ତାହା ମଧ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।