ଟେଷ୍ଟ ଦଳରେ ୩ଟି ପରିବର୍ତ୍ତନ କରିବାକୁ ପରାମର୍ଶ ଦେଲେ ଦିନେଶ କାର୍ତ୍ତିକ । ଦେଖନ୍ତୁ, କେଉଁ କେଉଁ ଖେଳାଳିଙ୍କୁ ସାମିଲ କରିବାକୁ ପରାମର୍ଶ ଦେଲେ କାର୍ତ୍ତିକ ।

4,338

କନକ ବ୍ୟୁରୋ: ଅଷ୍ଟ୍ରେଲିଆଠାରୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ହାରିବା ପରେ ଲଗାତାର ଦ୍ୱିତୀୟ ଥର ପାଇଁ ଟେଷ୍ଟ ଚାମ୍ପିୟନ୍ ହେବାରୁ ବଞ୍ଚିତ ହୋଇଛି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଥରରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ ବଡ ବ୍ୟବଧାନରେ ପରାଜିତ ହୋଇଛି । ତେବେ କଙ୍ଗାରୁ ଟିମଠାରୁ ଏତେ ବଡ ବ୍ୟବଧାନରେ ହାରିବା ପରେ, ଦଳରେ କିଛି ପରିବର୍ତ୍ତନ ନିହାତି ଆବଶ୍ୟକ ବୋଲି ବରିଷ୍ଠ କ୍ରିକେଟରମାନେ ମତ ଦେଇସାରିଲେଣି । ଏହିକ୍ରମରେ ଟିମ୍ ଇଣ୍ଡିଆର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ମଧ୍ୟ ଟେଷ୍ଟ ଟିମରେ ୩ଟି ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି ।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଦିନେଶ କାର୍ତ୍ତିକ କହିଛନ୍ତି ଯେ, ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ଯଶସ୍ୱୀ ଜୟସୱାଲଙ୍କ କଥା ନିହାତି ହେବା ଦରକାର । ତାଙ୍କର ଘରୋଇ ସିଜିନ ବହୁତ ଭଲ ରହିଥିଲା । ତେଣୁ ଜଣେ ବ୍ୟାଟର ଭାବେ ତାଙ୍କ ପାଇଁ ଦଳରେ ସ୍ଥାନ ବାହାର କରିବା ନିହାତି ଆବଶ୍ୟକ ବୋଲି ଦିନେଶ କାର୍ତ୍ତିକ କହିଛନ୍ତି । ତା ସହିତ ସର୍ଫରାଜ ଖାନଙ୍କୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଦିନେଶ କାର୍ତ୍ତିକ ।

ସର୍ଫରାଜ ଖାନଙ୍କ ଘରୋଇ ସିଜିନ୍ ବେଶ ଭଲ ରହିଛି । ମିଡିଲ୍ ଅର୍ଡରରେ ମଧ୍ୟ ସେ ଜଣେ ଭଲ ବ୍ୟାଟ୍ସମ୍ୟାନ୍ । ତେଣୁ ଟିମ୍ ଇଣ୍ଡିଆରେ ତାଙ୍କ ପାଇଁ ସ୍ଥାନ ବାହାର କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ବ୍ୟତୀତ ମିଡିୟମ୍ ଫାଷ୍ଟ ବୋଲର ମୁକେଶ କୁମାରଙ୍କୁ ମଧ୍ୟ ଟେଷ୍ଟ ଦଳରେ ସାମିଲ କରିବାକୁ ସେ କହିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ମହମ୍ମଦ ଶାମି, ମହମ୍ମଦ ସିରାଜ ଭଲ ବୋଲିଂ କରିଥିଲେ । ହେଲେ ଉମେଶ ଏବଂ ସାର୍ଦ୍ଦୁଳ ଭଲ ବୋଲିଂ କରିନପାରିବା କାରଣରୁ ଟିମ୍ ଇଣ୍ଡିଆର ଦୁର୍ବଳତା ପଛରେ ପଡିଥିଲା । ତେଣୁ ତାଙ୍କ ସ୍ଥାନରେ ମୁକେଶ କୁମାରଙ୍କୁ ଦଳରେ ସୁଯୋଗ ଦେବାକୁ ଦିନେଶ କାର୍ତ୍ତିକ ପରାମର୍ଶ ଦେଇଛନ୍ତି ।