ଉମାଙ୍କୁ ଆକ୍ରମଣ ପଛରେ କିଏ? କିଏ ଭାଙ୍ଗିଲା କଂଗ୍ରେସ ଅଫିସ?

136

କନକ ବ୍ୟୁରୋ: ପୁରୀରେ ଗରମ ରାଜନୈତିକ ପାଣିପାଗ । ପ୍ରାର୍ଥୀ ପରିବର୍ତନ ହେବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗତକାଲିଠାରୁ ଚାଲିଛି ଛକାପଂଝା । କଂଗ୍ରେସ ଟିକେଟରେ ଉମାବଲ୍ଲଭ ରଥ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଟିକେଟ କଟିବା ପରେ ସ୍ୱାଧୀନ ଭାବେ ନାମାଙ୍କନ ଭରିଛନ୍ତି ସୁଜିତ ମହାପାତ୍ର । ନାମାଙ୍କନ ଦାଖଲ ପାଇଁ ପୁରୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇ ନେତା ପହଂଚିଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀର ସମର୍ଥକ ।

ପ୍ରାର୍ଥୀ ପରିବର୍ତ୍ତନ ପରେ ପୁରୀ କଂଗ୍ରେସର ଗୋଷ୍ଠୀକନ୍ଦଳ ଚରମସୀମାରେ ପଂହଚିଛି । ଏହି ଦୃଶ୍ୟ ହିଁ ବୟାନ କରୁଛି ଗ୍ରାଉଣ୍ଡ ଜିରୋର ସ୍ଥିତି । ରବିବାରଦିନ ବିଧାନସଭା ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କ ଉପରେ ଆକ୍ରମଣ ପରେ ବି ଥମିନି କନ୍ଦଳ । ଆଜି ପ୍ରାର୍ଥୀପତ୍ର ଦାଖଲ ବେଳେ ମୁହାଁମୁହିଁ ହୋଇଛନ୍ତି ଉମା ଓ ସୁଜିତ ମହାପାତ୍ରଙ୍କ ସମର୍ଥକ । ଉମା ଓ ସୁଜିତ ନାମାଙ୍କନ ଦାଖଲ ପାଇଁ ପୁରୀ ଉପଜିଲ୍ଲାପାଳଙ୍କ ଅଫିସକୁ ଯାଇଥିଲେ । ଏହି ସମୟରେ କଚେରୀ ଛକରେ ଉମା-ସୁଜିତଙ୍କ ସମର୍ଥକଙ୍କ ମଧ୍ୟରେ ଠେଲାପେଲା ଓ ମୁଥ ମରାମରି ପରିସ୍ଥିତି ସୃଷ୍ଟି ହୋଇଛି । ପୁଲିସ ଘଟଣାସ୍ଥଳରେ ପଂହଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ଉମାବଲ୍ଲଭ ରଥ କଂଗ୍ରେସ ପ୍ରାର୍ଥୀ ଭାବେ ଓ ସୁଜିତ ସ୍ୱାଧାନ ପ୍ରାର୍ଥୀଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଉମା ନିଆରା ଢଙ୍ଗରେ ଶୋଭାଯାତ୍ରା କରି ଓ ଶଗଡରେ ସମର୍ଥକଙ୍କ ସହ ଆସି ନାମାଙ୍କନ ଭରିଥିଲେ । ଟିକେଟ କଟିଯିବା ପରେ ସୁଜିତ ମହାପାତ୍ର ସ୍ୱାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରି କଂଗ୍ରେସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ସୁଜିତ ମହାପାତ୍ରଙ୍କ ଟିକେଟ କଟିବା ପରେ ରବିବାର ସନ୍ଧ୍ୟାରେ ଉମାବଲ୍ଲଭ ରଥଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ତାଙ୍କ ମୁଣ୍ଡ ଫାଟିଯାଇଥିବାବେଳେ ମୁହଁରେ ଆଘାତ ଲାଗିଥିଲା । ପୁରୀ କଂଗ୍ରେସ ଅଫିସରେ ପଶି ସୁଜିତଙ୍କ ସମର୍ଥକ ପଶି ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା । ଉମାଙ୍କୁ ଆକ୍ରମଣ ଘଟଣାରେ ପୁରୀ କୁମ୍ଭାରପଡା ପୁଲିସ ସୁଜିତଙ୍କୁ ଅଟକ ରଖିଥିଲା । ପରେ ତାଙ୍କୁ ପ୍ରାର୍ଥୀପତ୍ର ଦାଖଲ ପାଇଁ ଆଜି ଛାଡିଥିଲା । ତେବେ କଚେରୀ ଛକରେ ହତାହତି ଘଟଣା ଓ ଉମାଙ୍କୁ ଆକ୍ରମଣ ଘଟଣାରେ ତାଙ୍କର କିଛି ଭୂମିକା ନାହିଁ ବୋଲି ସଫେଇ ଦେଇଛନ୍ତି ସୁଜିତ ମହାପାତ୍ର ।

ବିଜେଡି-ବିଜେପି ପୁରୀ ଜିତିବା ପାଇଁ ପୁରା ଦମ ଲଗାଇଦେଇଥିବାବେଳେ କଂଗ୍ରେସର ଗୋଷ୍ଠୀକନ୍ଦଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୁଜିତଙ୍କ ସଫେଇ ପରେ ପୁରୀରେ କଂଗ୍ରେସ ଗଣ୍ଡଗୋଳ ପାଇଁ ଦାୟୀ କିଏ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ପୁରୀ ଲୋକସଭା ପାଇଁ କଂଗ୍ରେସ ପ୍ରାର୍ଥୀ ଜୟନାରାୟଣ ପଟ୍ଟନାୟକ ବି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସୁଚରିତା ମହାନ୍ତିଙ୍କ ସ୍ଥାନରେ ଜୟନାରାୟଣଙ୍କୁ ଟିକେଟ ମିଳିଥିଲା ।