ଆମେରିକାରେ ଟ୍ରକ ଡ୍ରାଇଭରଙ୍କୁ ରାହୁଲଙ୍କ ପ୍ରଶ୍ନ । ପଚାରିଲେ ତୁମର ରୋଜଗାର କେତେ, ଉତ୍ତର ଶୁଣିଲେ ହୋଇଯିବେ ଚକିତ

23,898

କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି । ଏହି କ୍ରମରେ ସେ ଏକ ଟ୍ରକରେ ବସି ୱାସିଂଟନରୁ ନ୍ୟୁୟର୍କ ପର୍ଯ୍ୟନ୍ତ ୧୯୦ କିଲୋମିଟର ଯାତ୍ରା କରିଥିଲେ । ଏହି ଯାତ୍ରା ବେଳେ ସେ ଟ୍ରକ ଡ୍ରାଇଭର ତେଜିନ୍ଦର ଗିଲଙ୍କ ସହ କଥା ହୋଇଥିଲେ । ଏହି କଥାବାର୍ତ୍ତାର ଭିଡିଓ ଏବେ ସେ ସେୟାର କରିଛନ୍ତି । ଏହି ଭିଡିଓରେ ଦେଖିବାକୁ ମିଳିଛି କି ରାହୁଲ ଗାନ୍ଧୀ ଟ୍ରକ ଡ୍ରାଇଭର ତେଜିନ୍ଦରଙ୍କୁ ତାଙ୍କର ମାସିକ ରୋଜଗାର ବାବଦରେ ପ୍ରଶ୍ନ କରୁଛନ୍ତି । ଡ୍ରାଇଭର ତେଜିନ୍ଦର ଯେତେବେଳେ ତାଙ୍କ ମାସିକ ରୋଜଗାର ବାବଦରେ ରାହୁଲ ଗାନ୍ଧୀଙ୍କୁ କହିଛନ୍ତି ସେତେବେଳେ ରାହୁଲ ଗାନ୍ଧୀ ଚକିତ ହୋଇଯାଇଛନ୍ତି ।

ସେପଟେ କିଛିଦିନ ପୂର୍ବରୁ ରାହୁଲ ଗାନ୍ଧୀ ପଞ୍ଜାବରେ ମଧ୍ୟ ଏକ ଟ୍ରକଯାତ୍ରା କରିଥିଲେ । ସେହି ସମୟରେ ସେ ଅମୃତସରର ଟ୍ରକ ଡ୍ରାଇଭରମାନଙ୍କୁ ସେମାନଙ୍କ ସମସ୍ୟା ବାବଦରେ ପଚାରି ବୁଝିଥିଲେ । ଏବେ ପୁଣି ଆମେରିକାରେ ରାହୁଲ ଗାନ୍ଧୀ ଟ୍ରକ ଯାତ୍ରା କରିଛନ୍ତି । ଏଥିରେ ସେ କହିଛନ୍ତି କି ଆମେରିକାର ଟ୍ରକ ଭାରତର ଟ୍ରକ ଠାରୁ ବେଶି ଆରାମଦାୟକ । ସେହି ସମୟରେ ଟ୍ରକ ଡ୍ରାଇଭର ତେଜିନ୍ଦର କହୁଛନ୍ତି କି, ଭାରତରେ ଯେଉଁ ଟ୍ରକ ଚାଲୁଛି ତାହାର ଡ୍ରାଇଭର ସୁବିଧା ନେଇ କୌଣସି ମାନେ ନାହିଁ । ହେଲେ ଆମେରିକାରେ ନିର୍ମାଣ ହେଉଥିବା ଟ୍ରକ ସବୁଠାରୁ ସୁରକ୍ଷିତ । ଏଠାରେ ପୋଲିସ କେବେ ଗାଡି ଚାଳକଙ୍କୁ ହଇରାଣ କରନ୍ତି ନାହିଁ, ଚୋରି ହୁଏ ନାହିଁ । କିନ୍ତୁ ଦ୍ରୁତଗତିରେ ଗାଡି ଚଳାଇଲେ ଜରିମାନା ଦେବାକୁ ପଡିଥାଏ ।

ଅନ୍ୟପଟେ ଯେତେବେଳେ ରାହୁଲ ଗାନ୍ଧୀ ଟ୍ରକ ଚାଳକଙ୍କୁ ମାସିକ ରୋଜଗାର ବାବଦରେ ପଚାରିଥିଲେ ସେତେବେଳେ ଟ୍ରକ ଡ୍ରାଇଭର ଜଣଙ୍କ କହିଥିଲେ କି ମାସକୁ ଆରାମରେ ୪-୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇଥାଏ । ଯଦି ନିଜର ଟ୍ରକ ହୋଇଥିବ ତେବେ ୮ ଲକ୍ଷ ଟଙ୍କା ରୋଜଗାର ହୋଇଥାଏ । ଏହା ଶୁଣିବା ପରେ ରାହୁଲ ଗାନ୍ଧୀ ଚକିତ ହୋଇଯାଇଥିଲେ ।