ପାଗ ବଦଳାଇଲା କାଳବୈଶାଖୀ: ଆସନ୍ତାକାଲି ବଢ଼ିପାରେ ବର୍ଷା ପରିମାଣ, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

370

କନକ ବ୍ୟୁରୋ: କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ତାତିରୁ ଆଶ୍ୱସ୍ତି ମିଳିଛି । ହେଲେ ଅନେକ ସ୍ଥାନରେ ଝଡ଼ତୋଫାନରେ ଭାଙ୍ଗି ପଡିଛି ଗଛ । ଭଂଜନଗର, ଭୁବନେଶ୍ୱର ଓ ଜଳେଶ୍ୱରରୁ ଆସିଛି ଏପରି ଘଟଣା। କଟକ ଓ ଭୁବନେଶ୍ୱରରେ ପବନ ବହିବା ସହ ଝିପି ଝିପି ବର୍ଷା ହୋଇଛି ।

ଆଜି ୪ଜିଲ୍ଲାକୁ ଅରେଂଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଜିଠୁ ଆସନ୍ତାକାଲି ସକାଳ ଯାଏଁ ଗଂଜାମ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ଠାରୁ ୮ତାରିଖ ସକାଳ ଯାଏଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କନ୍ଧମାଳ, ଗଜପତି ଓ ଗଂଜାମକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ଆସନ୍ତା ୨୪ ଘଂଟା ପାଇଁ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ବିସ୍ତୃତ ବର୍ଷା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବର୍ଷା କାରଣରୁ ଓଡ଼ିଶାର ଦିନର ସର୍ବୋଚ୍ଚ ତାପମାତ୍ରା ୪ରୁ ୬ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।