ରାଜ୍ୟରେ ରାଜନୈତିକ ଉଷ୍ଣତା: ପ୍ରଚାର ମଇଦାନରେ ହାଇପ୍ରୋଫାଇଲ ଲଢ଼େଇ

83

କନକ ବ୍ୟୁରୋ: ମାତ୍ର ମାସକ ତଳେ ଶାନ୍ତ ଥିବା ଓଡିଶା, ଏବେ ୟୁ-ଟର୍ଣ୍ଣ ନେଇଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସିବା ସହ ବଢ଼ି ଯାଇଛି ରାଜନୈତିକ ଉଷ୍ଣତା । ପ୍ରଚାର ମଇଦାନରେ ଆରମ୍ଭ ହୋଇଯାଇଛି ହାଇପ୍ରୋଫାଇଲ ଲଢ଼େଇ ।

ନିର୍ବାଚନୀ ସଭାରୁ ଆସିଥିବା ଦୁଇଟି ଖବର ବିଜେଡି-ବିଜେପିର ଲଢ଼େଇ କେଉଁ ଆଡକୁ ଯାଉଛି ତାର ସଂକେତ ଦେଉଛି । ସ୍ପଷ୍ଟ ହେଉଛି ଏଥର ଲଢ଼େଇ ରାଜ୍ୟ ବିଜେପି ନେତା କି ବିଜେଡି ନେତାଙ୍କ ମଧ୍ୟରେ ଆଉ ସୀମିତ ହୋଇ ରହିନାହିଁ । ଲଢ଼େଇ ଦୁଇ ଦଳର ସବୁଠାରୁ ବଡ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି । ଦୁଇ ନେତା ନରେନ୍ଦ୍ର ମୋଦୀ ଓ ନବୀନ ପଟ୍ଟନାୟକ, ଜନସଭାରୁ ନାଁ ନନେଇ ପରସ୍ପରକୁ ଜୋରଦାର ଟାର୍ଗେଟ କରିଛନ୍ତି ।

ବିଜେଡି-ବିଜେପି ମେଂଟ ଚର୍ଚ୍ଚା ଫସର ଫାଟିବା ପରେ, ଦୁଇ ଦଳର ନେତାଙ୍କ ଭିତରେ ଆରମ୍ଭ ହୋଇ ଯାଇଛି ଟକ୍କର । ରାଜ୍ୟ ବିଜେପି ନେତାମାନେ ରାଜ୍ୟ ସରକାର ଓ ବିଜେଡିକୁ ଲଗାତାର ଆକ୍ରମଣ କରି ଆସୁଛନ୍ତି । ବିଜେଡିର ଦୋଷ ଦୁର୍ବଳତାକୁ ଦେଖାଉଛନ୍ତି । ବିଜେଡି ନେତାମାନେ ମଧ୍ୟ କେନ୍ଦ୍ର ସରକାର କଣ କରିଛନ୍ତି ବୋଲି ପ୍ରଶ୍ନ କରି ଆସୁଛନ୍ତି । କିନ୍ତୁ ସମସ୍ତଙ୍କ ନଜର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପରେ ରିହଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବିରୋଧରେ କିଛି କହିବେ କି ନାହିଁ, ସେ ନେଇ ଚର୍ଚ୍ଚା ହେଉଥିଲା । ସେହିପରି ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ କଣ ରହିବ ତାହା ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇଛି । ଏବେ ନିର୍ବାଚନ ମଇଦାନକୁ ଓହ୍ଲାଇବା ପରେ ଦୁଇ ଯୋଦ୍ଧାଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଛି ସିଧାସଳଖ ଲଢ଼େଇ । ଦୁଇ ଶୀର୍ଷ ନେତାଙ୍କ ଏହି ଲଢ଼େଇ ଆଗାମି ଦିନରେ କେଉଁ ମୋଡ ନେଉଛି? ତା ଉପରେ ସମସ୍ତଙ୍କ ନଜର ରହିଛି ।