କଳାହାଣ୍ଡି ମାଟିରୁ ବିରୋଧୀଙ୍କୁ ନବୀନଙ୍କ ଟାର୍ଗେଟ: ‘ବିରୋଧୀ କାନ୍ଦୁଛନ୍ତି କୁମ୍ଭୀର କାନ୍ଦଣା’

111

କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରଚାର ମଂଚରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱର ସେତିକି ଶାଣୀତ ହେଉଛି । ବାରମ୍ବାର ବିରୋଧୀଙ୍କୁ ଟାର୍ଗେଟ୍ କରୁଛନ୍ତି ନବୀନ ପଟ୍ଟନାୟକ । ଆଜି ବିଜେପି ଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲାବେଳେ ପୁଣିଥରେ ବିରୋଧୀଙ୍କ କୁମ୍ଭୀର କାନ୍ଦଣାକୁ କଟାକ୍ଷ କରିଛନ୍ତି । କଳାହାଣ୍ଡିର ଭବାନୀପାଟଣୀ ଓ ନୂଆପଡ଼ାର ଖରିଆରରେ ପ୍ରଚାର କରିଛନ୍ତି ନବୀନ । ସେପଟେ ରାଜ୍ୟ ବିଜେପିର ଇସ୍ତାହାରକୁ ତୀବ୍ର ସମାଲୋଚନା କରିଛନ୍ତି ଭି.କେ ପାଣ୍ଡିଆନ ।

ବିଜେପି ଗଡ ଭାବେ ଜଣାଶୁଣା କଳାହାଣ୍ଡି ଲୋକସଭା କ୍ଷେତ୍ରରେ ମାରାଥନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ ଆଜି କଳାହାଣ୍ଡିର ଭବାନୀପାଟଣା ଓ ନୂଆପଡାର ଖରିଆରରେ ଜନସଭା କରିଥିଲେ । ଉଭୟ ସଭାରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ଯୋଡି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କ ମତାମତ ଲୋଡିଥିଲେ । ଖଡିଆଳରେ ବିରୋଧୀ ଦଳକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଥିଲେ, ସେମାନେ ମିଛ କହୁଛନ୍ତି । କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସେମାନଙ୍କ ଓଡିଶା ପ୍ରତି ବା ଓଡିଶାବାସୀଙ୍କ ପ୍ରତି କୌଣସି ଆନ୍ତରିକତା ନାହିଁ ।

ଉଭୟ ସଭାରେ ଯୋଗଦେଇଥିଲେ ବିଜେଡି ନେତା ଭି.କେ.ପାଣ୍ଡିଆନ । ବିଜେପିକୁ ସେ କଟାକ୍ଷ କରିଥିଲେ । କହିଥିଲେ , ବିଜେପିର ଇସ୍ତାହାର ଅନୁଯାୟୀ ଚାଲିଲେ ଓଡିଶା ୨୦ ବର୍ଷ ପଛକୁ ଚାଲିଯିବ । ଡବଲ ଇଂଜିନ ସରକାର ଯେଉଁଠି ବି ଚାଲିଥିଲା ସେଠାରେ ଶାସନ ଭୁଷୁଡି ପଡିଛି । ତେଲ ସରିଗଲା ପରେ ଗାଡି ବନ୍ଦ ହୋଇଗଲା । ନବୀନ ଇଞ୍ଜିନ କେବେ ବି ବନ୍ଦ ହେବ ନାହିଁ । ଆୟୁଷ୍ମାନ ଯୋଜନା ଠାରୁ ବିଏସକେୱାଇ ଯୋଜନା ଢେର ଭଲ ବୋଲି କହିଥିଲେ ପାଣ୍ଡିଆନ ।

କଳାହାଣ୍ଡି ଲୋକସଭା ଆସନ ବିଜେପିର ଗଡ ହୋଇରହିଆସିଛି ।
-୧୯୯୮, ୧୯୯୯ , ୨୦୦୪ ଓ ୨୦୧୯ରେ ଜିତିଥିଲା ବିଜେପି
-୨୦୦୯ରେ କଂଗ୍ରେସ ଓ ବିଜେଡି କେବଳ ୨୦୧୪ରେ ଜିତିଥିଲା
-୨୦୧୯ରେ ୭ ବିଧାନସଭା ଆସନରୁ ୫ଟିରେ ବିଜେଡି ବିଜୟୀ ହୋଇଥିଲା
-ଖରିଆରରେ କଂଗ୍ରେସ ଓ ଭବାନୀପାଟଣାରେ ବିଜେପି ଜିତିଥିଲା
ଏହି ଦୃଷ୍ଟିରୁ ଦେଖିଲେ ବିଜେଡିକୁ ଆହୁରି ମଜଭୁତ କରିବାକୁ ନବୀନଙ୍କ ଭବାନୀପାଟଣା ଗସ୍ତ ଓ ଏଠାରୁ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି ।