ବନବିଭାଗ ପାଇଁ ହେଲା କି ବାଘର ମୃତ୍ୟୁ? ରାସ୍ତା ଉପରେ ଛଟପଟ ହେଉଥିବା ବାଘକୁ ଚିକିତ୍ସା କରିବାରେ ବିଳମ୍ବ ଅଭିଯୋଗ ।

259

କନକ ବ୍ୟୁରୋ: ଗାଡି ଧକ୍କାରେ ଛଟପଟ ହେଉଥିବା ବାଘର ମୃତ୍ୟୁ ପାଇଁ ବନବିଭାଗକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ଚିକିତ୍ସା ପାଇଁ ତୁରନ୍ତ ବ୍ୟବସ୍ଥା ନକରିବା ଯୋଗୁଁ ବାଘଟିର ମୃତ୍ୟୁ ହେଲା ବୋଲି କହିଛନ୍ତି । ଏଥିସହ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉନଥିବାରୁ ଘୁମୁସର ବନଖଣ୍ଡରେ ବହୁ ଜୀବଜନ୍ତୁଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ କରିଛନ୍ତି ସାମାଜିକ କର୍ମୀ ।

  • ମଙ୍ଗଳବାର, ବିଳମ୍ବିତ ରାତି
  • ସ୍ଥାନ- ଘୁମୁସର ବନଖଣ୍ଡ

ଏକ ଅଜଣା ଭାରି ଯାନଧକ୍କା ଦେଇ ଚାଲି ଯିବା ପରେ କଲରାପତରିଆ ବାଘଟି ତଳେ ପଡି ଛଟପଟ ହେଉଥିଲା । ବାଘଟି ରାସ୍ତା ଉପରେ ପଡି ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ଓ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଁଚିଥିଲେ । ବାଘଟିକୁ ଜଣେ କର୍ମଚାରୀ ଜୀବିତ କି ମୃତ ଜାଣିବା ପାଇଁ ତା ଗୋଡରେ ହାତ ମାରିଥିଲେ । ଆଉ ଜଣେ ବୋତଲରୋ ପାଣି ପିଇବାକୁ ଦେଇଥିଲେ । ତାପରେ ଗୁରୁତର ଅବସ୍ଥାରେ ବାଘଟିକୁ ଉଦ୍ଧାର କରି ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ । କିନ୍ତୁ ଡାକ୍ତରଖାନା ନେବା ରାସ୍ତାରେ ବାଘଟିର ମୃତ୍ୟୁ ହୋଇ ଯାଇଥିଲା ।

ତେବେ ଏହା ଗାଡି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ ହେବା ଖବର ପ୍ରଥମ ନୁହେଁ । ଏହା ପୂର୍ବରୁ ଏମିତି ଅନେକ ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ସେମାନଙ୍କ କହିବା ଅନୁସାରେ, ଗଞ୍ଜାମ ଜିଲ୍ଲା ଉତର ଘୁମୁସର ବନଖଣ୍ଡରେ ସୁରକ୍ଷିତ ନୁହନ୍ତି ବନ୍ୟଜନ୍ତୁ । ବାରମ୍ବାର ମୃତ୍ୟୁବରଣ କରୁଛନ୍ତି ହାତୀ, ହରିଣ ଓ ବାଘ ଭଳି ବନ୍ୟଜନ୍ତୁ । ବନ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଜୀବଯନ୍ତୁଙ୍କ ଜୀବନ ଯାଉଥିବା ଅଭିଯୋଗ ହୋଇଛି ।