ହୀରାକୁଦରେ ଡରାଉଛି ଡାଇରିଆ । ଅନୁଧ୍ୟାନ କଲେ ଡାକ୍ତରୀ ଟିମ୍ । ସେପଟେ ଡାଇରିଆ ନିୟନ୍ତ୍ରଣ ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ।

39

କନକ ବ୍ୟୁରୋ: ଡରାଉଛି ଡାଇରିଆ । ହୀରାକୁଦ ସହରରେ ବ୍ୟାପିଥିବା ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ଟପିଥିବା ବେଳେ ଏପର୍ଯ୍ୟନ୍ତ ୨ ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ ୨ ଜଣିଆ ଟିମ୍ ହୀରାକୁଦରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ ହୀରାକୁଦରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍ ନିୟୋଜିତ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

  • ହୀରାକୁଦରେ ଡରାଉଛି ଡାଇରିଆ
  • ଅନୁଧ୍ୟାନ କଲେ ଡାକ୍ତରୀ ଟିମ୍

ସମ୍ବଲପୁରର ହୀରାକୁଦ ଅଞ୍ଚଳରେ ଡରାଉଛି ଡାଇରିଆ । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ହସ୍ପିଟାଲରେ ମଧ୍ୟ ବୃଦ୍ଧି ପାଉଛି ରୋଗୀଙ୍କ ସଂଖ୍ୟା । ଝାଡ଼ାବାନ୍ତି ବ୍ୟାପୁଥିବାରୁ ସଜାଗ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରରୁ ୨ଜଣିଆ ବିଶେଷଜ୍ଞ ଦଳ ହୀରାକୁଦରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ହୀରାକୁଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ସହ ଆଲୋଚନା କରିବା ସହ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏହାସହ ପାଣିର ନମୂନା ସଂଗ୍ରହ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ।

ସେପଟେ ଡାଇରିଆ ନିୟନ୍ତ୍ରଣ ପାଇଁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ । ହୀରାକୁଦରେ ତୁରନ୍ତ କେନ୍ଦ୍ରୀୟ ମେଡିକାଲ ଟିମ୍ ନିୟୋଜିତ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି…

  • ଡାଇରିଆ ସଂକ୍ରମଣ ବୃଦ୍ଧି ଯୋଗୁଁ ଜନସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖା ଦେଇଛି
  • ଡାଇରିଆକୁ ନିୟନ୍ତ୍ରଣ କରିବା ସହ ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଉ
  • ଶିଶୁ ଓ ବୟସ୍କଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ସମସ୍ୟା ଦେଖାଦେଇଛି

ଡାଇରିଆର ମୂଳ କାରଣକୁ ଚିହ୍ନଟ କରିବା ସହ ସଂକ୍ରମିତ ଅଞ୍ଚଳରେ ଡାଇରିଆ ନିରାକରଣ ପାଇଁ ବ୍ୟାପକ ‘ଜନସ୍ୱାସ୍ଥ୍ୟ ସଚେତନତା ଅଭିଯାନ’ ଆରମ୍ଭ କରିବାକୁ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ହୀରାକୁଦରେ ବ୍ୟାପିଥିବା ଝାଡ଼ାବାନ୍ତିରେ ଏପର୍ଯ୍ୟନ୍ତ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୦ରୁ ଅଧିକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । କିଛି ଆକ୍ରାନ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।