କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ । କହିଲେ, ସରକାରକୁ ବାଧୁଛି ଶଶିକଳା ସିଣ୍ଡ୍ରୋମ । ଅପରାଜିତା ମୋ ଭଉଣୀ ।

876

କନକ ବ୍ୟୁରୋ: ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କୁ ଭଉଣୀ ବୋଲି ସମ୍ବୋଧନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରେ ଅନୁଷ୍ଠିତ ରୋଜଗାର ମେଳା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ସରକାରକୁ ବାଧିଲା ଶଶିକଳା ସିଣ୍ଡ୍ରୋମ୍ । ତେଣୁ ସାଂସଦ ଅପରାଜିତା ଷଡଙ୍ଗୀ ଓ ମୋ ଭିତରେ ବିବାଦ ସୃଷ୍ଟି କରିବାକୁ ଶାସକ ଦଳ ପ୍ରୟାସ କରୁଥିବା କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ପୁଣି ଥରେ ଶଶିକଳା ସିଣ୍ଡ୍ରୋମ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରେ ଅନୁଷ୍ଠିତ ରୋଜଗାର ମେଳା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି, ସରକାରଙ୍କୁ ଶଶିକଳା ସିଣ୍ଡ୍ରୋମ ବେଶୀ ବାଧିଥିଲା । ଅପରାଜିତା ମୋ ଭଉଣୀ । ମୁଁ ଡାକି ଆଣି ଏଠି ତାଙ୍କୁ ପ୍ରାର୍ଥୀ କରାଇଛିି । ଯଦି ବିଜେଡି ଏହାଦ୍ୱାରା ରାଜନୀତି କରିବ ତାହେଲେ ଭୁଲ ହେବ । ଶଶିକଳା ସିଣ୍ଡ୍ରୋମରେ ଦେଶ ବଡ ହେବନି କି, ରାଜ୍ୟ ବଡ ହେବନି ।

  • ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ କଟାକ୍ଷ
  • ‘ସରକାରକୁ ବାଧିଲା ଶଶିକଳା ସିଣ୍ଡ୍ରୋମ୍’
  • ‘ଅପରାଜିିତା ମୋ ଭଉଣୀ’

କିଛି ଦିନ ତଳେ କପିଳେଶ୍ୱର ମନ୍ଦିରକୁ ଏଏସଆଇ ଅଧିନକୁ ନେବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଧର୍ମେନ୍ଦ୍ର । ହେଲେ, ଧର୍ମେନ୍ଦ୍ର ଚିଠି ଲେଖିବାର କିଛି ସମୟ ଭିତରେ, ଟୁଇଟ୍ କରି ଅପରାଜିତା ପୂର୍ବରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଥିବା କଥା କହିଥିଲେ । ଏପରିକି ଗେଜେଟ ନୋଟିଫିକେସନ ପ୍ରକାଶ ପାଇଥିବା ଉଲ୍ଲେଖ କରିଥିଲେ । ଅପରାଜିତାଙ୍କ ଟୁଇଟ୍ ପରେ, ବିଜେଡି ପ୍ରେସମିଟ୍ କରି ଧର୍ମେନ୍ଦ୍ର ଅପରାଜିତାଙ୍କ ଠାରୁ ଶିଖନ୍ତୁ ବୋଲି କଟାକ୍ଷ କରିଥିଲା । ଯାହାକୁ ନେଇ ଶାସକ ଦଳ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଝାରସୁଗୁଡା ନିର୍ବାଚନ ପ୍ରଚାର ବେଳେ ଶଶିକଳା ସିଣ୍ଡ୍ରୋମ କଥା କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଧର୍ମେନ୍ଦ୍ର । ଶଶିକଳା ସିଣ୍ଡ୍ରୋମ କଣ ସ୍ପଷ୍ଟ କରିନଥିଲେ ବି କଥା ଛଳରେ ଅନେକ କଥା କହିଥିଲେ ।