ଖସିଯିବେ କି ଧଳସାମନ୍ତ ? ୩୮ ମାମଲାରେ ୨ ଶହ ସାକ୍ଷୀ । କୋର୍ଟରେ ଛିଡାହେବାକୁ ସାକ୍ଷୀଙ୍କ ପଛଘୁଞ୍ଚା

612

କନକ ବ୍ୟୁରୋ: ୨୯ ଜାନୁଆରୀ ୨୦୧୬ ମସିହା ଜାନୁଆରୀ ୨୯ ତାରିଖରେ ଗ୍ୟାଙ୍ଗଷ୍ଟର ଭାଇ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ ଗିରଫ ହେବା ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ବାଲି ଚୋରାଚାଲାଣ, ଦାଦାବଟି ଆଦାୟଠୁ ଆରମ୍ଭ କରି ବିଭିନ୍ନ ଅପରାଧରେ ଏମାନଙ୍କ ସଂପୃକ୍ତି ହଇଚଇ ସୃଷ୍ଟି କରିଥିଲା । ବର୍ତମାନ ଏହି ଦୁଇଭାଇଙ୍କ ବିରୋଧରେ ୩୮ ମାମଲା ଚାଲିଛି । କିନ୍ତୁ ପୁଲିସର ନିଷ୍କ୍ରିୟତା ଓ ସାକ୍ଷୀଙ୍କ ପଛଘୁଞ୍ଚା କାରଣରୁ ଏବେ ଧଳସାମନ୍ତ ଖସିଯିବା ଆଶଙ୍କା ସୃଷ୍ଟି ହୋଇଛି ।

ଯଦି ଦୁଇଭାଇ ନିର୍ଦ୍ଦୋଷରେ ଖଲାସ ହୁଅନ୍ତି, ତାହା ହେଲେ କଟକରେ ଆଇନଶୃଙ୍ଖଳା ପରିସ୍ଥିତି କିଭଳି ହେବ ସେ ନେଇ ଆଶଙ୍କା ପ୍ରକାଶ ପାଇଛି । ପୁଣି ପୂର୍ବଭଳି ଛୋଟବଡ ଅପରାଧୀ ମୁଣ୍ଡ ଟେରିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

  • ୩୮ ମାମଲାରେ ୨ ଶହ ସାକ୍ଷୀ
  • କୋର୍ଟରେ ଛିଡାହେବାକୁ ସାକ୍ଷୀଙ୍କ ପଛଘୁଞ୍ଚା

ଧଳସାମନ୍ତଙ୍କ ବିରୋଧରେ ବିଭିନ୍ନ ଥାନାରେ ମୋଟ ୩୮ ମାମଲା ରୁଜୁ ହୋଇଛି । କିନ୍ତୁ ଅଧିକାଂଶ କ୍ଷେତ୍ରେ ସାକ୍ଷୀ ନ ଆସିବା ସମସ୍ୟା ସୃଷ୍ଟି କରିଛି ।

  • ବିଭିନ୍ନ କାରଣରୁ ୫ ମାମଲାରେ ଧଳସାମନ୍ତ ଭାଇ ନିର୍ଦ୍ଦୋଷରେ ଖଲାସ ହୋଇସାରିଛନ୍ତି
  • ୩ ଟି ମାମଲାରେ ଦୁଇଭାଇ କୋର୍ଟରେ ଦୋଷୀ ସାବ୍ୟସ୍ତ
  • ଅବଶିଷ୍ଟ ୩୦ ମାମଲା କୋର୍ଟରେ ଏବେ ବିଚାରାଧୀନ
  • ଅଧିକାଂଶ ମାମଲାରେ ସାକ୍ଷ୍ୟ ଦେବାକୁ ସାକ୍ଷୀ ପଛଘୁଞ୍ଚା ଦେଉଛନ୍ତି

ମାମଲା ଶୁଣାଣି ସମୟରେ ଓଡିଶା ପୋଲିସରେ ସାକ୍ଷୀଙ୍କୁ ସୁରକ୍ଷା ପାଇଁ ‘ସାକ୍ଷୀ ସୁରକ୍ଷା’ ଯୋଜନା ରହିଛି । କିନ୍ତୁ ଧଳସାମନ୍ତଙ୍କ କ୍ଷେତ୍ରରେ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସାକ୍ଷୀ ଏଥପାଇଁ ଆଗ୍ରହ ପ୍ରକାଶ କରୁନଥିବାବେଳେ କିଛି ସାକ୍ଷୀ ଧଳସାମନ୍ତ ଭାଇଙ୍କୁ ଜାଣିନଥିବା କହିଛନ୍ତି । ତେଣୁୁ ଶୁଣାଣି ପରେ ମାମଲାର ଭାଗ୍ୟ ନେଇ ଏବେ ଠାରୁ ସନ୍ଦେହ ସୃଷ୍ଟି ହୋଇଛି ।