ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା । ୧୧ ଶହରୁ ଉର୍ଦ୍ଧ ଲୋକଙ୍କ ପ୍ରାଣହାନୀ

64

କନକ ବ୍ୟୁରୋ :  ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା ଗମ୍ଭୀର ରୂପ ଧାରଣ କରିଛି । ଗତ କିଛି ଦିନ ଲଗାଣ ବର୍ଷା ଫଳରେ ଦେଶର ବିଭିନ୍ନ ଅଂଚଳରେ ବନ୍ୟା ପରିସ୍ଥିତି ସଙ୍ଗୀନ ହୋଇଛି । ରାସ୍ତା ଘାଟ ଘର ଦ୍ୱାର ସବୁଆଡେ ପାଣି ବୁଡି ରହିଛି । ଲୋକେ ଅଂଟାଏ ଉଚ୍ଚର ପାଣିରେ ପଶି ଯା-ଆସ କରୁଥିବା ବେଳେ ସେମାନଙ୍କ ଜୀବନଜୀବିକା ବିଶେଷ ଭାବେ ପ୍ରଭାବିତ ହୋଇଛି । ୨୦୧୦ରେ  ଆସିଥିବା ପ୍ରଳୟଙ୍କାରୀ ବନ୍ୟା ପରେ ପାକିସ୍ତାନରେ ଏହା ସବୁଠୁ ବଡ ବନ୍ୟା  । ଏଥିରେ ୧୦ଲକ୍ଷରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩ ହଜାର କିଲୋମିଟର ରାସ୍ତା ଏବଂ ୧୫୭ଟି ସେତୁ ନଷ୍ଟ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ଘର, ରାସ୍ତାଘାଟ, ବ୍ରିଜ୍ ମଧ୍ୟ ଧୋଇଯାଇଛି ।

ବନ୍ୟାରେ ଲୋକେ ଫଶି ରହିଥିବା ବେଳେ ସେମାନଙ୍କୁ ରିଲିଫ୍ ଓ ଉଦ୍ଧାର ପାଇଁ ସେନାକୁ ନିୟୋଜିତ କରାଯାଉଛି । ସେହିପରି ପାଣି ଘେରରେ ଥିବା ଲୋକଙ୍କୁ ହେଲିକପ୍ଟର ଜରିଆରେ ଉଦ୍ଧାର କରାଯାଉଛି । ପାକିସ୍ତାନର ସିନ୍ଧ, ଗିଲଗିତ, ବେଲୁଚିସ୍ତାନ ପ୍ରଭୃତି ସ୍ଥାନରେ ବନ୍ୟା ସ୍ଥିତି ଅଧିକ ଖରାପ ରହିଛି । ଏଠାରେ ଲକ୍ଷ ଲକ୍ଷ ଲୋକେ ଭୂମିହୀନ ହୋଇପଡିଛନ୍ତି । ସେହିପରି ପ୍ରାଣ ହରାଇଲେଣି ୧୧୩୬ ଜଣ । ଦେଶରେ ବନ୍ୟା ପରିସ୍ଥିତି ସଙ୍ଗୀନ ହେଉଥିବା ବେଳେ ଲୋକେ ସାହାର୍ଯ୍ୟ ଅପେକ୍ଷାରେ ବସିଛନ୍ତି । ଏହାରି ଭିତରେ ପାକିସ୍ତାନ ପ୍ରତି ସମବେଦନା ଜଣାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୁଇଟ୍ କରି ବନ୍ୟା ବିପନ୍ନଙ୍କୁ ସେ ସମାବେଦନା ଜଣାଇବା ସହ ଖୁବ୍ଶୀଘ୍ର ସ୍ଥିତିରେ ସୁଧାର ଆସିବା ନେଇ ଆଶ୍ୱସନା ଦେଇଛନ୍ତି ।

ମୁଦ୍ରାସ୍ପୀତି ବୃଦ୍ଧି ପାଇବା ପରେ ପାକିସ୍ତାନ କାଙ୍ଗାଳ ସ୍ଥିତିକୁ ଚାଲି ଆସିଛି । ପାକିସ୍ତାନୀବାସୀ ଦୁଇ ଓଳି ଖାଦ୍ୟ ପାଇଁ ଛଟପଟ ହେଉଥିବାବେଳେ ଏବେ ଅଭାବ ଭିତରେ ମୁଣ୍ଡ ଟେକିଛି ବନ୍ୟା ସମସ୍ୟା  । କହିବାକୁ ଗଲେ ପାକିସ୍ତାନବାସୀଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ସମସ୍ୟା ମାଡି ଆସିଛି ।