ନବରଙ୍ଗପୁରରେ ଭୂତ ନାଁରେ ଉଠିଛି ଭତ୍ତା ଟଙ୍କା! ଚଞ୍ଚକତା କରି ବିଭାଗୀୟ ଅଧିକାରୀ ସରକାରୀ ଅର୍ଥ ଡହପ କରୁଥିବା ଅଭିଯୋଗ।

50

କନକ ବ୍ୟୁରୋ: ଚାଉଳ ଓ ଭତା ବଣ୍ଟନରେ ବ୍ୟାପକ ଦୁର୍ନୀତି । ମୃତ ବ୍ୟକ୍ତିଙ୍କ ନାଁରେ ମାସ ମାସ ଧରି ଉଠିଛି ପିଡିଏସ ସାମଗ୍ରୀ ଓ ଭତ୍ତା ଟଙ୍କା । ବର୍ଷ ବର୍ଷ ଧରି ମୃତକ ମାନଙ୍କ ନାଁରେ ଉଠାଯାଉଛି ପେନସନ ଓ ଚାଉଳ । ନବରଙ୍ଗପୁର ଜିଲ୍ଲାରେ ଭୁତ ହିତାଧିକାରୀଙ୍କ  ତାଲିକା ଲମ୍ବି ଚାଲିଛି । ତେନ୍ତୁଳିଖୁଣ୍ଟା ବ୍ଲକ ପୂଜାରିଗୁଡ଼ା ଗ୍ରାମପଞ୍ଚାୟତରୁ ମିଳିଛି ଦୁର୍ନୀତିର ତଥ୍ୟ । ବର୍ଷ ବର୍ଷ ଧରି ମୃତକଙ୍କ ନାଁରେ ପେନସନ ଓ ଚାଉଳ ଉଠାଯାଉଛି । ତେବେ ଭୂତ ହିତାଧିକାରୀଙ୍କ  ତାଲିକାରେ ସରକାରୀ ଅର୍ଥ ହଡପ କରି ସରକାରୀ ବାବୁମାନେ ମାଲାମାଲା ହେଉଥିବା ଅଭିଯୋଗ ହୋଇଛି ।

ପୂଜାରିଗୁଡ଼ା ଗ୍ରାମପଞ୍ଚାୟତରେ ୯ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ପଞ୍ଚାୟତ କର୍ତୃପକ୍ଷ ଚାଉଳ ଓ ଭତା ଉଠାଉଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସଂପର୍କୀୟ । ମୃତକଙ୍କୁ ଜୀବତ ଦର୍ଶାଇ ପଞ୍ଚାୟତ କର୍ତୃପକ୍ଷ ସରକାରଙ୍କ ପିଡ଼ିଏସ ଚାଉଳ ଓ ବାର୍ଦ୍ଧକ୍ୟ ଭତା ଟଙ୍କା ବାଟମାରଣା କରୁଛନ୍ତି ବୋଲି ତଥ୍ୟ ସହ ଅଭିଯୋଗ କରିଛନ୍ତି ମୃତ ହିତାଧିକରୀଙ୍କ ସଂପର୍କୀୟ । ଏମିତି କରି ଲକ୍ଷଲକ୍ଷ ଟଙ୍କା ଉଠାଇ ପଂଚାୟତ କର୍ତୃପକ୍ଷ ଆତ୍ମସାତ କରୁଛନ୍ତି । ପଞ୍ଚାୟତ ସ୍ତରରେ ମଧୁଚନ୍ଦ୍ରିକାରେ ବର୍ଷ ବର୍ଷ ଧରି ଟଙ୍କା ହଡ଼ପକାରୀ କାର୍ଯ୍ୟ ଚାଲିଛି । କେବଳ ପୂଜାରିଗୁଡ଼ା ପଞ୍ଚାୟତର ନୁହେଁ ନବରଙ୍ଗପୁର ଜିଲ୍ଲାର ବହୁ ପଂଚାୟତରେ ମୃତ ହିତାଧିକାରୀଙ୍କ ନାଁରେ ଏପରି ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି । ସେପଟେ ମୃତ ହିତାଧିକାରୀଙ୍କ ନାଁରେ ଟଙ୍କା ହଡପ  ଘଟଣା ବାବଦରେ ଜାଣିବା ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ତେନ୍ତୁଳିଖୁଂଟା ବିଡ଼ିଓ ।