ବାର୍ଡ’ଫ୍ଲୁ ଆତଙ୍କ ! ବନ୍ଦରନଗରୀ ପରେ ଏବେ ଭିତରକନିକାକୁ ମାଡିଲା ବିପଦ

29

କନକ ବ୍ୟୁରୋ: ଜଗତସିଂହପୁର ପରେ ଏବେ କେନ୍ଦ୍ରାପଡ଼ାରେ ବାର୍ଡ’ଫ୍ଲୁ ଆତଙ୍କ ଖେଳିଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ କାଉ ମରିପଡ଼ିବାକୁ ନେଇ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି, ଭିତରକନିକାରେ ୩ଟି କାଉ ମରିପଡ଼ିବା ଫଳରେ ପ୍ରଶାସନ ଅଧିକ ସତର୍କ ହୋଇଯାଇଛି । ଏହି ଜାତୀୟ ଉଦ୍ୟାନରେ ଏବେ ବିଦେଶୀ ପକ୍ଷୀଙ୍କ ଭିଡ଼ ଥିବାରୁ ପରିସ୍ଥିତି ଉପରେ ତୀକ୍ଷ୍ମଣ ନଜର ରଖିଛି । ଏହି ଅଞ୍ଚଳରୁ ୩୦ଟି ନମୁନା ସଂଗ୍ରହ କରାଯାଇଥିବା ଜଣାପଡ଼ିଛି । ଜଗତସିଂହପୁର ପରେ ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଅନୁରୂପ ଭାବେ ବାର୍ଡ଼’ଫ୍ଲୁ ଆତଙ୍କ ଖେଳିଯାଇଛି । ସୋମବାର, ମହାକାଳପଡ଼ା ବ୍ଲକର ୧୬ଟି ଗ୍ରାମରେ କୁକୁଡ଼ା, ବତକ ଓ ଅନ୍ୟାନ୍ୟ ଗୃହପାଳିତ ପକ୍ଷୀମାନଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ପଟ୍ଟାମୁଣ୍ଡାଇ ବ୍ଲକର ଚନ୍ଦନନଗର ନିକଟରେ ରାଜନଗର-ପଟ୍ଟାମୁଣ୍ଡାଇ ରାସ୍ତା ଉପରେ ଗତକାଲି ସଂଧ୍ୟାରେ ୩ଟି କାଉ ମରି ପଡିଥିବା ଦେଖିବାକୁ ମିଳିଥିଲା । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ମୃତ ପକ୍ଷୀ ମିଳି ନ ଥିଲେ ମଧ୍ୟ ଭିତରକନିକା ଅଭୟାରଣ୍ୟ ଅଂଚଳରେ ଗତକାଲି ସଂଧ୍ୟାରେ ୩ଟି କାଉର ମୃତଦେହ ମିଳିଛି ।

ଗତକାଲି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ପଶୁଚିକିତ୍ସାଧିକାରୀ ଡା. ଶାନ୍ତନୁ ଟାକ୍ରିଙ୍କ ନେତୃତ୍ୱରେ ଏକ ଟିମ୍ ଭିତରକନିକା ପରିଦର୍ଶନ କରିଥିଲେ । ପକ୍ଷୀଙ୍କ ଆବସସ୍ଥଳୀ ବଗଗହନ ଏବଂ ମଠଆଡିଆରେ ପହଁଛି ୨୦ଟି ଦେଶୀ ଓ ବିଦେଶୀ ପକ୍ଷୀଙ୍କ ମଳ ନମୁନା ସଂଗ୍ରହ କରିଛନ୍ତି । ଏହାବାଦ୍ ଭିତରକନିକା ପ୍ରବେଶପଥକୁ ଲାଗିକରି ଥିବା ଡାଙ୍ଗମାଳ ଓ ଖମାରସାହି ଗାଁରୁ ୧୦ଟି କୁକୁଡାଙ୍କର ମଳ ଓ ମଳଦ୍ୱାରର ସ୍ୱାବ୍ ସଂଗ୍ରହ କରିଛନ୍ତି । ଏହି ଦୁଇଟି ଗାଁର ପୋଖରୀ ପାଣି ନମୁନା ସଂଗ୍ରହ କରି ଫୁଲନଖରାସ୍ଥିତ ଆନିମଲ ଡିଜିଜ୍ ରିସର୍ଚ୍ଚ ଇନଷ୍ଟିଚୁୟୁଟକୁ ପଠାଇଛନ୍ତି । ଭିତରକନିକାରେ ବାର୍ଡ ଫ୍ଲୁ ସଂପର୍କରେ ରେଞ୍ଜ ଅଫିସର ସୁବ୍ରତ କୁମାର ପାତ୍ରଙ୍କୁ ପଚାରିବାରୁ ଭିତରକନିକା ଅଂଚଳରେ ବାର୍ଡ’ଫ୍ଲୁ ଆତଙ୍କ ନାହିଁ ବୋଲି କହିଛନ୍ତି ।

ସେପଟେ, ବନ୍ଦରନଗରୀ ପାରାଦ୍ୱୀପରେ ବାର୍ଡଫ୍ଲୁ ଆତଙ୍କ ଦେଖାଦେଇଛି । ପ୍ରତିଷେଧକ ମୂଳକ ବ୍ୟବସ୍ଥା ସ୍ୱରୂପ ବିଭିନ୍ନ ସ୍ଥାନରେ କୁକୁଡା ମରା ଅଭିଯାନ ଚାଲିଛି । ନୂଆବଜାର ଓ ସଂଜୟ ଗାନ୍ଧୀ ବସ୍ତିରେ ଚାଲିଛି କୁକୁଡା ମରା ଅଭିଯାନ । ଜିଲ୍ଲା ପ୍ରଶାସନ ପକ୍ଷରୁ ୮ଟି ଟିମ ନିୟୋଜିତ କରାଯାଇଛି । ବିଭିନ୍ନ ନାମୀଦାମୀ ହୋଟେଲରେ ଚଢାଉ କରି କୁକୁଡା ଓ ଅଣ୍ଡା ଜବତ କରାଯାଉଛି । ପାରାଦୀପ ପୌରପରିଷଦ ଓ ମେଡିକାଲ ଟିମ ପକ୍ଷରୁ ମିଳିତ ଚଢାଉ କରାଯାଇଛି ।

ସୋମବାର ସନ୍ଧ୍ୟାରେ ୩ ଜଣିଆ କେନ୍ଦ୍ରୀୟ ଟିମ୍ ପାରାଦ୍ୱୀପରେ ପଂହଚି ପ୍ରଭାବିତ ଷଣ୍ଢକୁଦ ଅଂଚଳ ପରିଦର୍ଶନ କରିଛନ୍ତି । ପ୍ରଶାସନର ବୈଠକ ବସି ପ୍ରତିଷେଧକମୂଳକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି । ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦିଆଯାଇଛି । ୨ ଦିନରେ ପାରାଦ୍ୱୀପ ଅଂଚଳରେ ୮ଶହରୁ ଅଧିକ କୁକୁଡାଙ୍କୁ ମରାଯାଇଥିବା ପ୍ରଶାସନ ଦାବି କରିଛି । କୁକୁଡା, ବତକ ଓ ଅଣ୍ଡା ନଖାଇବାକୁ ଲୋକଙ୍କୁ ସଚେତନ କରୁଛି ପ୍ରଶାସନ । କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ନିୟମ ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସୂଚନା ଦେଇଛି । ଏହା ଛଡା ତିନି ମାସ ପାଇଁ ପାରାଦୀପକୁ କୁକୁଡା ଓ ବତକ ଯୋଗାଣ ବନ୍ଦ କରାଯିବା ନେଇ ନିଷ୍ପତି ହୋଇଛି ।