ମାଲକାନଗିରି ସବୁଠୁ ଉତ୍ତପ୍ତ ! ୩୫ ଡିଗ୍ରୀ ଉପରେ ୧୫ ସହର

23

କନକ ବ୍ୟୁରୋ: ପୁଣିଥରେ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି ମାଲକାନଗିରି । ଗତକାଲି ଏଠାକାର ସର୍ବୋଚ୍ଚ ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୧୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି । ଉପକୂଳ ଓଡ଼ିଶାରେ ତାତି ଟିକିଏ କମିଥିଲେ ମଧ୍ୟ ସ୍ୱାଭାବିକଠାରୁ ଅଧିକ ରହିଛି । ହେଲେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର ପରି ଜିଲ୍ଲାର ତାପମାତ୍ରା ହ୍ରାସ ପାଇ ୩୫ ଡିଗ୍ରୀ ତଳକୁ ଖସି ଆସିଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ତାଳଚେରରେ ତାପମାତ୍ରା ୩୭.୮ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ଼ରେ ୩୭.୫, ଭୁବନେଶ୍ୱର ଓ ଅନୁଗୁଳରେ ୩୭.୧, ସୋନପୁରରେ ୩୭, ବଲାଙ୍ଗିରରେ ୩୬.୨, ସୁନ୍ଦରଗଡ଼ରେ ୩୬, ହୀରାକୁଦରେ ୩୫.୭, ଝାରସୁଗୁଡ଼ାରେ ୩୫.୫, କଟକରେ ୩୫.୪, ସମ୍ବଲପୁରରେ ୩୫.୩, ଚାନ୍ଦବାଲି ଓ ଢେଙ୍କାନାଳରେ ୩୫.୨ ଓ ଭବାନୀପାଟଣାରେ ୩୫ ଡିଗ୍ରୀ ରହିଥିଲା। ଏଭଳି ତାତି ଆହୁରି ସପ୍ତାହକ ଯାଏ ଜାରି ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ, ଏବେ ତାତି କମିବାର ସମ୍ଭାବନା ନାହିଁ । ୫ ଦିନ ମଧ୍ୟରେ କେତେକ ସହରର ତାପମାତ୍ରା ୪୦ ଡିଗ୍ରୀ ଟପିପାରେ । ସାରା ଓଡ଼ିଶାରେ ତାପମାତ୍ରା ବଢ଼ିବ। ରାତି ସମୟରେ ଥଣ୍ଡା ଅନୁଭୂତ ହେବ । ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଘନ କୁହୁଡ଼ି ବି ପଡ଼ିବ । ୨୦୦ ମିଟର ପରେ ରାସ୍ତା ଦୃଶ୍ୟମାନ ହେବ ନାହିଁ । ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।