ରେଳ ଧାରଣାରେ ମିଳିଲା ଦଶମ ଶ୍ରେଣୀ ଛାତ୍ରର ମୃତଦେହ : ସ୍କୁଲରେ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କ ଅଭିଯୋଗ

131

କନକ ବ୍ୟୁରୋ : ରେଳ ଧାରଣାରେ ମିଳିଲା ଦଶମ ଶ୍ରେଣୀ ଛାତ୍ରର ମୃତଦେହ । ସ୍କୁଲରେ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଛାତ୍ର ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମୃତକ ହେଉଛନ୍ତି ବାଲେଶ୍ୱର ସିଦ୍ଧିବିନାୟକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ର ସୂରଜ ଗୁପ୍ତା । ସବୁଦିନ ଭଳି ସୂରଜ ମଙ୍ଗଳବାର ଘରୁ ସ୍କୁଲ ବାହାରିଥିଲେ । ହେଲେ ଛୁଟି ପରେ ପୁଅ ଘରେ ନ ପହଞ୍ଚିବାରୁ ବାପା ସ୍କୁଲକୁ ଯାଇ ବୁଝିବାରୁ ସୂରଜ ସ୍କୁଲ ଆସିନଥିବା କହିଥିଲେ କର୍ତ୍ତୃପକ୍ଷ। ଏହା ପରେ ପୁଲିସରେ ଖବର ଦେଇ ପୁଅକୁ ଖୋଜାଖୋଜି କରିଥିଲେ ।

ଶେଷରେ କୁରୁଡା ଉଡନ୍ତା ପୋଲ ତଳେ ସୂରଜର ସାଇକଲ ଓ ସ୍କୁଲ ବ୍ୟାଗ ପାଇଥିଲେ । କିଛି ଦୂରରେ ସୂରଜର ଖଣ୍ଡବିଖଣ୍ଡିତ ମୃତଦେହ ପାଇଥିଲେ । ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷ, ଜଣେ ଶିକ୍ଷକ ଓ ଜଣେ ଛାତ୍ରୀଙ୍କୁ ଦାୟୀ କରି ସୂରଜଙ୍କ ବାପା ବାଲେଶ୍ୱର ସଦର ଥାନାରେ ଅଭିଯୋଗ କରିଛନ୍ତି । ଏହାପରେ ସୂରଜର ମୃତଦେହକୁ ସ୍କୁଲ ସାମ୍ନାରେ ପୁଅର ମୃତଦେହକୁ ରଖି ନ୍ୟାୟ ଦାବି କରିଛନ୍ତି ।

ସୂଚନା ମୁତାବକ ସୂରଜ ସହ ସ୍କୁଲରେ ଦୁଇ ଦିନ ପୂର୍ବରୁ ମାରପିଟ୍ ହେବା ସହ ସୂରଜ ବେକରେ ଆଘାତର ଦାଗ ଥିଲା । ସୂରଜର ବାପା ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ସ୍କୁଲ ଏ ଦିଗରେ କୌଣସି ପଦକ୍ଷେପ ନେଇ ନ ଥିବାରୁ ସୂରଜ ମାନସିକ ଚାପରେ ଥିବା କହିଛନ୍ତି ବାପା । ଏଥିରେ ସେ ମାନସିକ ଭାରସାମ୍ୟ ହରାଇ ଚଳନ୍ତା ଟ୍ରେନ ଆଗରେ ଡେଇଁଥିବା ଅଭିଯୋଗ କରିଛନ୍ତି ସୂରଜର ବାପା ।