ଆଜି ମଝି ରାତିରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଲ୍ୟାଣ୍ଡଫଲ କରିବ ବାତ୍ୟା ନିଭାର । ଘଂଟାକୁ ୧୩୦ କିଲୋମିଟର ବେଗରେ ବୋହିବ ପବନ

208

କନକ ବ୍ୟୁରୋ : ମାଡି ଆସୁଛି ସାମୁଦ୍ରିକ ଝଡ ନିଭାର । ସମୁଦ୍ର ଭିତରେ ଶକ୍ତି ସଂଗ୍ରହ କରି ବର୍ତମାନ ଏହି ବାତ୍ୟା ଅତି ଭୟଙ୍କର ସାମୁଦ୍ରିକ ଝଡର ରୂପ ନେଇସାରିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଏହି ବାତ୍ୟା ଆଜି ରାତିରେ ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବ । ତାମିଲନାଡୁର କରାଇକାଲ ଓ ମାମଲାପୁରମ ମଧ୍ୟରେ ପୁଡୁଚେରୀ ନିକଟରେ ଭାରତୀୟ ଭୂଖଣ୍ଡକୁ ସ୍ପର୍ଶ କରିବ ।

ବାତ୍ୟା ପ୍ରଭାବରେ ତାମିଲନାଡୁ ଆନ୍ଧ୍ରପ୍ରଦେଶ ଉପକୂଳରେ ଲାଗି ରହିଛି ବର୍ଷା । ପବନର ଗତି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସମୁଦ୍ର ଅଶାନ୍ତ ହୋଇପଡିଛି । ପାଣିପାଗ ବିଭାଗ ଆହୁରି ମଧ୍ୟ ଅନୁମାନ କରିଛି ଯେ, ସ୍ଥଳଭାଗ ଛୁଇଁବା ବେଳକୁ ବାତ୍ୟା ପ୍ରଭାବରେ ପବନର ବେଗ ଘଂଟା ପ୍ରତି ୧୨୦ ରୁ ୧୩୦ କିଲୋମିଟର ଓ ସ୍ଥଳବିଶେଷରେ ୧୪୫ କିଲୋମିଟର ରହିପାରେ ।

ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ତାମିଲନାଡୁରେ ବ୍ୟାପକ ବନ୍ଦୋବସ୍ତ କରିଛି ପ୍ରଶାସନ । ଏନଡିଆରଏଫର ୨୫ଟି ପ୍ଲାଟୁନକୁ ନିୟୋଜିତ କରାଯାଇଛି । ଭାରତୀୟ ସେନାର ୧୪ଟି ଉଦ୍ଧାରକାରୀ ଦଳକୁ ମଧ୍ୟ ତାମିଲନାଡୁରେ ସଜାଗ ରଖାଯାଇଛି । ତଳିଆ ଅଂଚଳରୁ ପାଖାପାଖି ୩୦ ହଜାର ଲୋକଙ୍କ ସୁରକ୍ଷିତ ସ୍ଥାନକୁୁ ସ୍ଥାନାନ୍ତରଣ କରାଯିବା ସହ ବ୍ୟାପକ ମାତ୍ରାରେ ରିଲିଫ ସାମଗ୍ରୀ ମହଜୁଦ ରଖାଯାଇଛି । ତାମିଲନାଡୁ ଉପକୂଳ ଦେଇ ଚଳାଚଳ କରୁଥିବା କିଛି ଟ୍ରେନକୁ ବାତିଲ କରାଯାଇଥିବା ମଧ୍ୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ବର୍ଷା ଓ ବନ୍ୟାଜନିତ କ୍ଷୟକ୍ଷତିକ କମାଇବା ପାଇଁ ବିଭିନ୍ନ ଜଳଭଣ୍ଡାରରୁ ମଧ୍ୟ ଜଳ ନିଷ୍କାସନ କରାଯାଇଛି ।

ତେବେ ବାତ୍ୟା ନିଭାର ଓଡିଶା ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି କହିଛି ପାଣିପାଗ ବିଭାଗ । ଦକ୍ଷିଣ ଓ ଉପକୂଳ ଓଡିଶାରେ ଆକାଶ ମେଘାଛନ୍ନ ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଏହାରି ଭିତରେ ଆଗାମୀ ୨୯ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।