ବେକାରି ଭତ୍ତା ନାଁରେ ମାତିଛନ୍ତି ସାଇବର ଠକ । ନକଲି ନିଯୁକ୍ତି ସାଇଟ୍ ଖୋଲି ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା

88

କନକ ବ୍ୟୁରୋ : ମହାମାରୀ କରୋନା ପାଇଁ ରାଜ୍ୟ ସରକାର ଶିକ୍ଷିତ ବେକାରୀଙ୍କୁ ବାର୍ଷିକ ବେକାରି ଭତ୍ତା ଦେବେ । ତେଣୁ ଏହି ସରକାରୀ ଯୋଜନାର ଫାଇଦା ଉଠାଇବାକୁ ଚାହୁଥିଲେ ମାତ୍ର ୨୧୨ଟଙ୍କା ଦେଇ ୱେବ୍‌ସାଇଟ୍‌ରେ ନିଜ ନାମ ପଞ୍ଜୀକରଣ କରାଇ ନିଅନ୍ତୁ । ଏପରି ଲୋଭ ଦେଖାଇ ସାଇବର୍‌ ଠକ ରାଜ୍ୟର ହଜାର ହଜାର ବେକାର ଯୁବକ/ଯୁବତୀଙ୍କୁ ଚୂନ ଲଗାଇଛି । ଷ୍ଟେଟ୍ ରିଜିଓନାଲ୍ ବୋର୍ଡ ଅଫ୍ ଏମ୍ପ୍ଲୟମେଣ୍ଟ କର୍ପୋରେସନ୍ ନାମରେ ଏକ ନକଲି ୱେବ୍‌ସାଇଟ୍‌ ଖୋଲି ନାମ ପଞ୍ଜୀକରଣ ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଛି । ଏ ସଂପର୍କରେ ଆଜି ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗକାରୀଙ୍କ କହିବାନୁଯାୟୀ, ତାଙ୍କର ଜଣେ ବନ୍ଧୁ ସରକାରଙ୍କ ଏହି ବେକାରି ଭତ୍ତା ଯୋଜନା ସଂପର୍କରେ ଅବଗତ କରାଇଥିଲେ। ରାଜ୍ୟ ଓ କେନ୍ଦ୍ର ସରକାର ବେକାର ଯୁବକ ଯୁବତୀଙ୍କୁ ମାସିକ ୩ହଜାର ଟଙ୍କା ଲେଖାଏଁ ହିସାବରେ ବର୍ଷକୁ ୩୬ ହଜାର ଟଙ୍କା ଦେବେ ବୋଲି ତାଙ୍କୁ କୁହାଯାଇଥିଲା । ଏଥିପାଇଁ ଆବେଦନକାରୀଙ୍କୁ ଆଧାରକାର୍ଡ, ପ୍ୟାନ୍ କାର୍ଡ, କୋଭିଡ୍‌ର ଦ୍ବିତୀୟ ଡୋଜ୍ ଟିକା ସାର୍ଟିଫିକେଟ୍, ମେଲ୍ ଆଇଡି, ଫୋନ୍ ନମ୍ବର ଓ ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟ ଦେବାକୁ ପଡ଼ିବ । ପଞ୍ଜୀକରଣ ବାବଦକୁ ୨୧୨ଟଙ୍କା ଏକ ସଂସ୍ଥାର ବ୍ୟାଙ୍କ୍ ଆକାଉଣ୍ଟକୁ ଦେବାକୁ ପଡ଼ିବ ।

ଏସବୁ ପଠାଇବା ପାଇଁ ସାଇବର ଠକ ହ୍ବାଟ୍ସଆପ୍‌ରେ ଏସ୍‌ଆରବିସି ପ୍ରତୀକ ଥିବା ଏକ ନମ୍ବର ଜାରି କରିଛି । ଏହି ନମ୍ବରରେ ବ୍ୟକ୍ତିଗତ ତଥ୍ୟ ସମେତ ଟଙ୍କା ପଠାଇଥିବାର ଫଟୋ ପଠାଇଲେ ବାର୍ଷିକ ବେକାରି ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ଯୋଗ୍ୟ ବିବେଚିତ ହୋଇଛ କି ନାହିଁ, ସେଥିପାଇଁ srbc.in.net ଵେବସାଇଟ୍ ଯାଇ ଫଟୋ ଓ ଆଇଡି ଯାଞ୍ଚ୍ କରିବା ପାଇଁ ସେମାନେ ପରାମର୍ଶ ଦେଇଥାନ୍ତି ବୋଲି ସୂଚନା ଦେଇଛନ୍ତି । ତେବେ ଏସ୍‌ଆରବିସି କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ସେ ଟଙ୍କା ପଠାଇବା ସହ ତାଙ୍କର ଏହିଭଳି ଆହୁରି ଶତାଧିକ ସାଙ୍ଗ ଏହି ଠକେଇର ଶିକାର ହୋଇଥିବା ସେ କହିଛନ୍ତି ।

ଏନେଇ ସାଇବର ବିଶେଷଜ୍ଞ କହିଛନ୍ତି, ସାଇବର ଠକ ଏସ୍‌ଆର୍‌ବିସି ନାଁରେ ୧୬ ଜୁଲାଇ ୨୦୨୧ରେ ଏକ ନକଲି ୱେବସାଇଟ୍ ଖୋଲିଥିଲା । ଓଡ଼ିଶା ସମେତ ସାରା ଦେଶରେ ହ୍ବାଟ୍ସଆପ୍ ଯୋଗେ ମିଥ୍ୟା ବାର୍ତ୍ତା ପ୍ରଚାର କରି କହିଥିଲା, ୨୦୨୨ ଜାନୁଆରି ୫ ସୁଦ୍ଧା ପଂଜୀକରଣ ନ କଲେ ବାର୍ଷିକ ବେକାରୀ ଭତ୍ତା ମିଳିବ ନାହିଁ । ଏହି ଆଧାରରେ ସବୁ ରାଜ୍ୟର ଲକ୍ଷ ଲକ୍ଷ ବେକାରୀ ଯୁବକ ଯୁବତୀ ୨୧୨ଟଙ୍କା ଦେଇ ପଂଜୀକରଣ କରିଥିଲେ । ଏହା ପରେ ସେମାନଙ୍କର ଫଟୋ, ନାଁ, ଆଇଡି ନମ୍ବର ଓ ମେଲ୍ ଆଇଡିକୁ ନେଇ ଏକ ସାଇଟ୍‌ରେ ପଂଜୀକରଣ ହୋଇଥିବା ଅପଲୋଡ୍ ହୋଇଥିଲା । ଏହି କ୍ରମରେ ଓଡ଼ିଶାରୁ ମଧ୍ୟ ଏହିଭଳି ହଜାର ହଜାର ପିଲା ଠକେଇର ଶିକାର ହୋଇଛନ୍ତି । ସିଧାସଳଖ କହିବାକୁ ଗଲେ ଏହା ସାଇବର ଠକଙ୍କ ଏକ ବଡ଼ ସ୍କାମ୍। ଏଥିରୁ ବର୍ତ୍ତିବାକୁ ହେଲେ ପ୍ରଥମେ ସ୍ଥାନୀୟ ନିଯୁକ୍ତି ବୋର୍ଡ ପାଖରୁ ଯାଞ୍ଚ୍ କରାଇ ନେବାକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି ।