ପଞ୍ଚାୟତ ନିର୍ବାଚନ ହେବ ତ ? ଆଜି ବସିବ ବୈଠକ; ସରକାର ହଁ ମାରିଲେ ଆଗକୁ ବଢ଼ିବେ କମିସନ, ତାରିଖ ଘୋଷଣା ହେବ

157

କନକ ବ୍ୟୁରୋ : କରୋନାର ଏଇ ଭିଡ ଭିତରେ ହୋଇପାରିବ ତ ପଂଚାୟତ ନିର୍ବାଚନ । ଏହି ଦ୍ୱନ୍ଦ୍ୱକୁ ନେଇ ଆଜି ବସିବ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଏସଆରସି ପ୍ରଦୀପ ଜେନା ଓ ଅତିକିକ୍ତ ସ୍ୱାସ୍ଥ୍ୟ ସଚିବ ରାଜ କୁମାରଙ୍କ ଉପସ୍ଥିତିର ବୈଠକ କରିବେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ଆଜି ପୂର୍ବାହ୍ନ ୧୧ଟାରେ ଏହି ବୈଠକ ବସିପାରେ । କରୋନାର ଦୃତ ସଂକ୍ରମଣ ଭିତରେ ରାଜ୍ୟରେ ପଂଚାୟତ ନିର୍ବାଚନ ହେବ ନା ନାହିଁ ତାକୁ ନେଇ ବିତର୍କ ଚାଲିଥିବା ବେଳେ ଏହାର ଚୂଡାନ୍ତ ନିଷ୍ପତି ନିଆଯାଇପାରେ ବୋଲି ଆଶା କରାଯାଉଛି । ସରକାର ଯଦି ନିର୍ବାଚନ ପାଇଁ ରାଜି ହୁଅନ୍ତି ତେବେ ନିର୍ବାଚନ ପ୍ରସ୍ତୁତ କ୍ଷେତ୍ରରେ ଆଗକୁ ବଢିବେ ନିର୍ବାଚନ କମିଶନ ।

କମିସନଙ୍କ ଏଭଳି ଆଭିମୁଖ୍ୟ ପରେ ରାଜ୍ୟ ସରକାରଙ୍କ ପାଇଁ ଅଡ଼ୁଆ ବଢ଼ିଯାଇଛି । ସରକାର କେଉଁ ଆଭିମୁଖ୍ୟ ନେବେ, ସେ ସଂକ୍ରାନ୍ତରେ ଆଜି ଉଚ୍ଚସ୍ତରରେ ଘନ ଘନ ବୈଠକ ହୋଇଛି । କାରଣ  ‘ହୁ’ ସତର୍କ କରାଇ ଦେଇଛି ଯେ ଓମିକ୍ରନକୁ ହାଲକା ଭାବେ ଗ୍ରହଣ କରିବା ଉଚିତ୍ ନୁହେଁ । ଆହୁରି ବଡ଼ କଥା ହେଲା, ସରକାର ଲକ୍ଷ୍ୟ ରଖୁଛନ୍ତି ଯେ ରାଜ୍ୟରେ କୋଭିଡ୍ ସଂଖ୍ୟା ବଢ଼ିବା ସହିତ ଅଧିକରୁ ଅଧିକ ଛୋଟ ପିଲା ସଂକ୍ରମିତ ହେଉଛନ୍ତି। ଯଦି ଆଗକୁ ଏହା ଅଧିକ ଭୀଷଣ ରୂପ ନେବ, ତେବେ ଜନମତ ସରକାରଙ୍କ ବିରୋଧରେ ଯିବା ଲାଗି ବେଶୀ ସମୟ ଲାଗିବ ନାହିଁ । କେବଳ ସେତିକି ନୁହେଁ, କରୋନା ସଂକ୍ରମଣ ବଢ଼ିଲେ ଏ ବାର୍ତ୍ତା ବି ଯାଇପାରେ ଯେ ନିର୍ବାଚନ ମନସ୍କ ହୋଇ ସରକାର ରାଜ୍ୟକୁ ବିପଦକୁ ଠେଲିଦେଲେ । ଏଣୁ ନିର୍ଦିଷ୍ଟ କି ଆଭିମୁଖ୍ୟ ଗ୍ରହଣ କରାଯିବ, ସେ ସଂକ୍ରାନ୍ତରେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଆଲୋଚନା ଜାରି ରହିଥିବା ଜଣାପଡିଛି । ପ୍ରଚାର ବିନା ନିର୍ବାଚନ କରିବା ଲାଗି ପ୍ରସ୍ତାବ ଦେଇପାରନ୍ତି କିମ୍ବା ଆଉ କିଛି ସମୟ ଅପେକ୍ଷା କରିବା ଲାଗି କମିସନଙ୍କୁ ଜଣାଇପାରନ୍ତି। ତେବେ ଆସନ୍ତାକାଲିର ବୈଠକକୁ ଗୁରୁତ୍ବ ଦିଆଯାଉଛି ।

ଜଣେ ଅଧିକାରୀ କହିଛନ୍ତି, ସଂପ୍ରତି କୋଭିଡ୍ ସଂକ୍ରମଣ ବଢ଼ୁଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ନିର୍ବାଚନ କରିପାରିବେ କି ନାହିଁ, ସେ ସଂକ୍ରାନ୍ତରେ ଆସନ୍ତାକାଲି କମିସନ ବୈଠକ ଡାକିଛନ୍ତି । କାରଣ କୋଭିଡ୍ ସଂକ୍ରମଣ ରୋକିବା ରାଜ୍ୟ ସରକାରଙ୍କର ଯେଭଳି ଦାୟିତ୍ବ; ନିର୍ବାଚନ କିଭଳି ସୁରୁଖୁରୁରେ ହେବ, ସେ କଥା ବି ପ୍ରଶାସନ ନିଶ୍ଚିତ କରିବାକୁ ହେବ । ଏଣୁ ରାଜ୍ୟ ନିର୍ବାଚନ କମିସନ ତାରିଖ ଘୋଷଣା କରିବା ପୂର୍ବରୁ ସବୁ ଦିଗକୁ ତର୍ଜମା କରୁଛନ୍ତି । କାଳେ ନିର୍ବାଚନ କାରଣରୁ ରାଜ୍ୟରେ କୋଭିଡ୍ ବଢିବ ଓ ଅଣାୟତ ଆଡକୁ ଯିବ, ସେ ସଂପର୍କରେ ନିର୍ବାଚନ କମିସନ ନିଜ ଆଡୁ ସରକାରଙ୍କୁ ସତର୍କ କରିପାରନ୍ତି ।

ତେବେ ଆଜି ମୁଖ୍ୟଶାସନ ସଚିବ, ଏସଆରସି ଏବଂ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଯଦି ଆଶ୍ବସ୍ତ କରିବେ ଓ ଦାୟିତ୍ବ ନେବେ ଯେ କୋଭିଡ୍ ବୃଦ୍ଧି ସମୟରେ ନିର୍ବାଚନ ହେଲେ, କୌଣସି ସମସ୍ୟା ହେବ ନାହିଁ, ଲୋକଙ୍କ ଜୀବନ ପ୍ରତି ବିପଦ ବଢ଼ିବ ନାହିଁ, ତେବେ କମିସନ ଆଗକୁ ଯାଇ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ । କାରଣ ଆଜି ସଂରକ୍ଷଣ ଚାଲିକା ଚୂଡାନ୍ତ ହୋଇଯାଇଥିବାରୁ ଆସନ୍ତାକାଲିଠାରୁ ସପ୍ତାହେ ଭିତରେ କମିସନ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବେ। ଆସନ୍ତା ୧୦ ତାରିଖରେ ବିରୋଧୀ ଦଳ ସହିତ ଆଲୋଚନା ହୋଇପାରେ ଏବଂ ୧୨ ତାରିଖରେ ଜିଲ୍ଲାପାଳ ଏବଂ ଏସପିଙ୍କ ସହିତ ଆଲୋଚନା ପରେ କମିସନ ୧୩ ତାରିଖ ବେଳକୁ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ।