ପାକିସ୍ତାନ ହାରିଲା, ଭାରତ ପାଇଁ ସୁଯୋଗ ସୃଷ୍ଟି ହେଲା । ପଢନ୍ତୁ, ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ୍ କେମିତି ଖେଳିପାରିବ ଭାରତ?

1,795

କନକ ବ୍ୟୁରୋ: ପାକିସ୍ତାନର ପରାଜୟ, ଟିମ୍ ଇଣ୍ଡିଆ ପାଇଁ ସୃଷ୍ଟି କଲା ନୂଆ ସୁଯୋଗ । ମୁଲତାନ ଟେଷ୍ଟରେ ଇଂଲଣ୍ଡ ପାଖରୁ ମ୍ୟାଚ୍ ହାରିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଦୌଡରୁ ବାଦ୍ ପଡିଛି ପାକିସ୍ତାନ । ତେବେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଫାଇନାଲ ଦୌଡରୁ ବାଦ୍ ପଡିବା ପରେ ଏହା ଟିମ୍ ଇଣ୍ଡିଆ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି ।

ଟିମ୍ ଇଣ୍ଡିଆର ଦୃଷ୍ଟିରୁ ଦେଖିଲେ, ପାକିସ୍ତାନର ପରାଜୟ ଭାରତ ପାଇଁ ଖୁସି ଆଣିଛି । ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟପରେ ଡିସେମ୍ବରରେ ପାକିସ୍ତାନ ନ୍ୟୁଜିଲାଣ୍ଡ ସହ ଟେଷ୍ଟ ସିରିଜ୍ ଖେଳିବ । ହେଲେ ଏହି ଦୁଇଟି ଟେଷ୍ଟ ମ୍ୟାଚ୍ ବିଶ୍ୱ ଚାମ୍ପିୟନସିପ୍ ଉପରେ କୌଣସି ସେତେଟା ପ୍ରଭାବ ପକାଇବ ନାହିଁ । ଅନ୍ୟପଟେ ଭାରତ ଯଦି ନିଜର ପରବର୍ତ୍ତୀ ଦୁଇଟି ସିରିଜରେ ଜିତାପଟ ହାସଲ କରେ, ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ୍ ଖେଳିବାର ସୁଯୋଗ ହାତେଇବ ।

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପଏଣ୍ଟ ଟେବୁଲରେ ଏବେ ସବୁଠୁ ଆଗରେ ରହିଛି ଅଷ୍ଟ୍ରେଲିଆ । ମୋଟ ୭୫ ପ୍ରତିଶତ ବିଜୟ ସହ ଦଳ ଏକ ନମ୍ବର ସ୍ଥାନରେ ରହିଛି । ଏହା ପଛକୁ ୬୦ ପ୍ରତିଶତ ବିଜୟ ସହ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଓ ୫୩.୩୩ ପ୍ରତିଶତ ବିଜୟ ସହ ଶ୍ରୀଲଙ୍କା ତୃତୀୟ ସ୍ଥାନରେ ରହିଛି । ରୋହିତ ବାହିନୀ ବର୍ତ୍ତମାନ ଏହି ଲିଷ୍ଟର ଚତୁର୍ଥ ସ୍ଥାନରେ ଥିବାବେଳେ, ଦଳ ପାଖରେ ବିଜୟର ପ୍ରତିଶତ ରହିଛି ୫୨.୦୮ ପ୍ରତିଶତ । ଏହା ପଛକୁ ଇଂଲଣ୍ଡ ଓ ପାକିସ୍ତାନ ରହିଛନ୍ତି ।

ବାଂଲାଦେଶ ବିପକ୍ଷରେ ଟିମ୍ ଇଣ୍ଡିଆ ଯଦି ଦୁଇଟି ଯାକ ଟେଷ୍ଟ ସିରିଜ୍ ଜିତିଯାଏ ଏବଂ ନୂଆ ବର୍ଷ ଆରମ୍ଭରୁ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଯଦି ଭାରତ ବିଜୟ ହାସଲ କରେ । ତେବେ ଯାଇ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବାକୁ ସୁଯୋଗ ପାଇପାରେ । ତେବେ ଖାଲି ସେତିକି ନୁହେଁ, ଅନ୍ୟ ଦଳର ପ୍ରଦର୍ଶନ ଉପରେ ମଧ୍ୟ ଟିମ୍ ଇଣ୍ଡିଆର ଭାଗ୍ୟ ନିର୍ଭର କରିବ ।