ବିନା ଇଣ୍ଟରନେଟରେ ମୋବାଇଲରେ ଟିଭି ଦେଖିବା ଏବେ ହେବ ସମ୍ଭବ । ଜାଣନ୍ତୁ କଣ ଏହି ଡି ଟୁ ଏମ ସୁବିଧା

681

କନକ ବ୍ୟୁରୋ : ବିନା ଇଣ୍ଟରନେଟରେ ଏବେ ମୋବାଇଲରେ ଟିଭି ଦେଖିବା ସମ୍ଭବ ହେବ । କାରଣ ସରକାର ଡାଇରେକ୍ଟ ଟୁ ମୋବାଇଲ ସୁବିଧା ଉପରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ସରକାର ଏନେଇ ଯେଉଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଏଥିରେ ଫ୍ରି ଟୁ ଏୟାର ଚ୍ୟାନେଲ ବିନା ଇଣ୍ଟରନେଟରେ ମୋବାଇଲରେ ଚାଲିପାରିବ । ଏନେଇ ୱାଇ-ଫାଇ ଆଣ୍ଟିନା କାମ କରିବ ବୋଲି କୁହାଯାଉଛି । ଏହା ଉପରେ କାମ କରିବାକୁ କମ୍ପାନୀମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ମୋବାଇଲରେ ମିଡିଲ ବିଅର ଲଗାଇବାକୁ ପଡିବ । ଏନେଇ ଟେଲିକମ ଇଂଜିନିୟରିଂ ସେଣ୍ଟର ତରଫରୁ ଡ୍ରାଫ୍ଟ ଜାରି କରାଯାଇଛି ।

ସୂଚନା ମୁତାବକ ଡାଇରେକ୍ଟ ଟୁ ମୋବାଇଲ ବ୍ରଡକାଷ୍ଟ ଉପରେ ଯୋଜନା ପ୍ରସ୍ତୁତ କରାଯାଇଛି । ଏନେଇ ସୂଚନା ଓ ପ୍ରସାରଣ ସଚିବ ଅପୂର୍ବା ଚନ୍ଦ୍ରା କହିଛନ୍ତି କି, ଡାଇରେକ୍ଟ ଟୁ ମୋବାଇଲ ବ୍ରୋଡକାଷ୍ଟିଂ ଉପରେ ଏକ ପାଇଲଟ ଷ୍ଟଡି ଖୁବଶୀଘ୍ର ଦିଲ୍ଲୀ ଏନସିଆରରେ ଆରମ୍ଭ କରାଯିବ । ଏହାଦ୍ୱାରା ଲୋକଙ୍କ ପାଖରେ ଟେଲିଭିଜନ ସହଜରେ ପହଂଚିପାରିବ ।

ଅପୂର୍ବା ଚନ୍ଦ୍ରା କହିଛନ୍ତିି କି ଏବେ ଦେଶରେ ୨୦ କୋଟି ଟିଭି ଉପଭୋକ୍ତା ରହିଛନ୍ତି । ଭାରତରେ ୬୦ କୋଟି ସ୍ମାର୍ଟଫୋନ ରହିଛି ଓ ୮୦ କୋଟି ବ୍ରଡବ୍ୟାଣ୍ଡ ଉପଭୋକ୍ତା ରହିଛନ୍ତି । ଏହି କାରଣରୁ ଟେଲିଭିଜନ ମିଡିଆର ପହଂଚ ଅଧିକ ହେବା ନିଶ୍ଚିନ୍ତ । ଏନେଇ ଆଇଆଇଟି କାନପୁର ଓ ସାଂଖ୍ୟା ଲ୍ୟାବ୍ସ ବେଙ୍ଗାଲୋରରେ ଡାଇରେକ୍ଟ ଟୁ ମୋବାଇଲ ବ୍ରୋଡକାଷ୍ଟିଂ ଉପରେ ଏକ ପାଇଲଟ ପ୍ରୋଜେକ୍ଟର ଅଧ୍ୟୟନ କରାଯାଇଛି ।

ଯଦି ଆମେ ଏହାକୁ ସରଳ ଭାଷାରେ ବୁଝିବା ତେବେ ଡିଟିଏଚ ଭଳି ହେଉଛି ଡି ଟୁ ଏମ । ଏହି ସୁବିଧା ଉପଲବ୍ଧ ହେଲେ ଲୋକମାନେ ବିନା ଇଣ୍ଟରନେଟରେ ସ୍ମାର୍ଟଫୋନ ମାଧ୍ୟମରେ ଟିଭି ବି ଦେଖିପାରିବେ । ଏହି ସୁବିଧା ଏଫଏମ ରେଡିଓ ଭଳି କାମ କରିବ ।