ଚିନ୍ତାରେ ନବରଙ୍ଗପୁରର ଚାଷୀ ! ଅଭାବୀ ବିକ୍ରିର ଶିକାର, ଦୁଇ ପଇସା ରୋଜାଗାର ଆଶାରେ ଥିବା ଚାଷୀକୁ ଧକ୍କା । 

22

କନକ ବ୍ୟୁରୋ : ଚିନ୍ତାରେ ନବରଙ୍ଗପୁରର ଚାଷୀ  । ମକା ଚାଷ କରି ବେଶ ଦୁଇ ପଇସା ରୋଜାଗାର କରିବା ଆଶାରେ ଥିବା ଚାଷୀକୁ ଧକ୍କା ଲାଗିଛି  । କିନ୍ତୁ ଏବେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଚାଷୀର ଚିନ୍ତା ବଢିଯାଇଛି  ।

ଖରିଫ ଚାଷ ସରିଲା  । ଏକର ଏକର ଜମିରେ ମକା ଚାଷ କରିଥିଲେ ଚାଷୀ  । ଏଥର ବି ଫସଲ ଭଲ ହୋଇଥିଲା  । ଏବଂ ଚାଷୀ ଅନେଇ ବସିଥିଲା ଭଲ ଅମଳ ହେବ ଏବଂ ପକେଟକୁ ଦି ପଇସା ଆସିବ  । ହେଲେ ନବରଙ୍ଗପୁରର ମକା ଚାଷୀ ହେଲେ ଅଭାବୀ ବିକ୍ରିର ଶିକାର  ।

ଏକର ପିଛା ଚାଷୀ ମକା ଉତ୍ପାଦନରେ ଖର୍ଚ୍ଚ କରେ ୨୫ହଜାର ଟଙ୍କା  । ଏଥିରୁ ଅମଳ ହୁଏ ୨୫କ୍ୱିଂଟାଲ ମକା  । ଏବଂ କ୍ୱିଂଟାଲ ପ୍ରତି ଏହାର ବଜାର ଦର ୮୦୦ଟଙ୍କା  । ସରକାର ମଣ୍ଡି ଖୋଲିଲେ ଏବଂ ୧୪୨୫ଟଙ୍କା କ୍ୱିଂଟାଲ ପ୍ରତି ଦର ନିର୍ଦ୍ଦାରଣ କରିଥିଲେ  । କିନ୍ତୁ କର୍ମଚାରୀ ମଣ୍ଡିରେ ମକା ରଖିବାକୁ ନାରାଜ  । ଏହାର ସୁଯୋଗ ନେଉଛନ୍ତି ଦଲାଲ  ।

ସେପଟେ ୠଣ ସୁଝିବା ଚିନ୍ତାରେ ଚାଷୀ ବାଧ୍ୟ ହୋଇ ୮୦୦ଟଙ୍କାରେ ଦଲାଲ ପାଖରେ ମକା ବିକ୍ରି କରୁଛି  । ଏହାସହ ରବି ଚାଷ ଆରମ୍ଭ ହୋଇଯାଇଥିବାରୁ ନୀଳଗିରି ଗଛ ଲଗାଇବାକୁ ପ୍ରସ୍ତୁତ ହେଉଛି ଚାଷୀ  । ଉତ୍ପାଦିତ ମକାକୁ ଦଲାଲ ପାଖରେ ବାଧ୍ୟ ହୋଇ ବିକ୍ରି କରୁଛି ଚାଷୀ  । ସେପଟେ ସବୁ ଜାଣିଶୁଣି ବି ହାତ ଟେକି ଦେଇଛି ପ୍ରଶାସନ  ।