ବିହାର ମୁଖ୍ୟମନ୍ତ୍ରୀଙ୍କ ବୟାନ ‘ଯିଏ ମଦ ପିଇବ, ସେ ମରିବ’କୁ ନେଇ ତେଜୁଛି ବିବାଦ: ବିଜେପି କହିଲା ନିଜ ଦୋଷକୁ ଲୁଚାଇ ପର ମୁଣ୍ଡରେ ଅଠା ବୋଳୁଛନ୍ତି ନୀତିଶ ସରକାର 

150

କନକ ବ୍ୟୁରୋ: ବିହାରରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତମାନ ସୁଦ୍ଧା ୬୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ବି ଅନେକ ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣାକୁ ବିରୋଧ କରି ବିଜେପି, ଏଲଜେପି ଓ ବିଭିନ୍ନ ଆଂଚଳିକ ଦଳମାନେ ରାଜଧାନୀ ପାଟନାରେ ବିରୋଧ ପ୍ରଦର୍ଶନ କରିଛନ୍ତି । ବିଷାକ୍ତ ମଦ ପିଇ ୩ଜିଲ୍ଲାରେ ମୃତ୍ୟୁର ତାଣ୍ଡବ ଚାଲିଛି । ମଦ ମୃତ୍ୟୁରେ ସବୁଠୁ ଆଗରେ ରହିଛି ବିହାରର ଛପରା ଓ ସିୱାନ ଜିଲ୍ଲା  । ସେହିପରି ବେଗୁସରାଇରେ ବି ବିଷାକ୍ତ ମଦ ପିଇ ଅନେକଙ୍କ ମୃତ୍ୟୁ ଘଟିଛି । ମାମଲାର ଯାଂଚ ପାଇଁ ଏସ୍ଆଇଟି ଟିମ୍ ଗଠନ ହୋଇଛି । ଏହି ଟିମ୍ ଗତ ୪୮ ଘଂଟାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୧୨୬ ବ୍ୟବସାୟୀଙ୍କୁ ଗିରଫ କରିଛି  ।

ଏଥିସହ ୪ ହଜାର ଲିଟରରୁ ଉଦ୍ଦ୍ୱର୍ ବେଆଇନ୍ ମଦ ଜବତ କରିଛି । ସେପଟେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଂଚିଛି । ମଦ ବିଭୀଷିକା ନେଇ ଜେଡିୟୁ, ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବାକ୍ ଯୁଦ୍ଧ  । ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଉପରେ ବର୍ଷିବା ସହ ମଦମୃତ୍ୟୁ ପାଇଁ ନୀତିଶଙ୍କ ବେପାରୁଆ ନୀତି ଦାୟି ବୋଲି କହିଛି ବିଜେପି । ସେହିପରି ଏଲଜେପି ସାଂସଦ ଚିରାଗ ପାଶୱାନ ନିତିଶ ସରକାରଙ୍କ ଉପରେ ବର୍ଷିଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣା ଭିତରେ ମୁଖ୍ୟମନ୍ତ୍ରୀଙ୍କ ବୟାନ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ଶୁକ୍ରବାର ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନର ଉତର ଦେଇ ନୀତିଶ କହିଥିଲେ ଯିଏ ମଦ ପିଇବ ସେ ମରିବ । ମଦ ମୃତ୍ୟୁ ପାଇଁ ସରକାର ଗୋଟିଏ ଟଙ୍କାବି କ୍ଷତିପୂରଣ ଦେବେନି । ଗୋଟେ ପଟେ ମଦ ମୃତ୍ୟୁ ଓ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଏଭଳି ବୟାନ । ବିହାର ରାଜନୀତିକୁ ହୁଲୁସ୍ତୁଲୁ କରିଛି ।