ଦୂଷିତ ଜଳ ନେଉଛି ଶିଶୁଙ୍କ ଜୀବନ। ପ୍ରତିଦିନ ପ୍ରାଣ ହରାଉଛନ୍ତି ହଜାରେ ଶିଶୁ।

41

କନକ ବ୍ୟୁରୋ: ପାଣି ଜୀବନ ବଞ୍ଚାଏ । କିନ୍ତୁ ଏହି ପାଣି ଆପଣଙ୍କ ଜୀବନ ବି ନେଇପାରେ ଏଭଳି କେବେ କଳ୍ପନା କରିଛନ୍ତି କି । କିନ୍ତୁ ଏହାହିଁ ସତ । ଅପରିଷ୍କାର ପାଣି ଯୋଗୁଁ ପ୍ରତ୍ୟେକ ଦିନ ହଜାର ହଜାର ଶିଶୁଙ୍କର ଜୀବନ ଯାଉଛି । ୟୁନିସେଫର ତଥ୍ୟ ଅନୁଯାୟୀ ବିଶୁଦ୍ଧ ଜଳ ଓ ସ୍ୱଚ୍ଛତା ଏବଂ ପରିମଳ ସେବା ସୁବିଧା ଅଭାବରୁ ପ୍ରତିଦିନ ୫ବର୍ଷରୁ କମ୍ ବୟସର ହଜାରେ ଶିଶୁଙ୍କର ମୃତ୍ୟୁ ହେଉଛି । ଅପରିଷ୍କାର ପାଣି ପିଇବାରୁ ବଢୁଛି ଜଳ ଜନିତ ରୋଗ । ଅପରିଷ୍କାର ଜଳ ବ୍ୟବହାର କରିବା ଦ୍ୱାରା କୋଲେରା, ଟାଇଫଏଡ, ଓ ହେପାଟାଇଟିସ-ଏରେ ଆକ୍ରାନ୍ତ ହେବାର ଆଶଙ୍କା ବଢ଼ୁଛି ।

ଚିନ୍ତା ବଢାଉଛି କମୁଥିବା ଭୂତଳ ଜଳସ୍ତର । କମୁଛି ମୁଣ୍ଡପିଛା ବ୍ୟବହାର ଉପଯୋଗୀ ଜଳର ପରିମାଣ । ୧୯୪୭ ପରେ ପ୍ରାୟ ୭୫ ପ୍ରତିଶତ ଜଳ ହ୍ରାସ ପାଇଛି । ପୂର୍ବରୁ ମଧ୍ୟ ଭାରତରେ ଏହା ଦେଖିବାକୁ ମିଳୁଥିବାବେଳେ ଏବେ ଓଡିଶାର ୬ଟି ବ୍ଲକରେ କମିଛି ଭୂତଳ ଜଳସ୍ତର । ବାଲେଶ୍ୱରର ବାଲିଆପାଳ , କେନ୍ଦ୍ରାପଡାର ଗରଦପୁର ,ଯାଜପୁରର କୋରେଇ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ଓ ବୋଲଗଡ ଏବଂ ନୂଆପଡାରେ ଭୂତଳ ଜଳସ୍ତର କମିଛି । ଏହି ସବୁ ଅଞ୍ଚଳରେ ଯେତିକି ଜଳ ଭୂତଳକୁ ଯାଉଛି ତାଠାରୁ ଅଧିକ ମାତ୍ରାର ଜଳ ଉତ୍ତୋଳନ କରାଯାଉଛି । ଭୁବନେଶ୍ୱରରେ ୧୦ ମିଟର ତଳକୁ ଜଳ ନିମ୍ନଗାମୀ ହୋଇଛି । ଏଭଳି ଜଳସ୍ତର କମିଲେ ଗୋଟିଏ ମଣିଷ ପିଛା ଦୈନିକ ଆବଶ୍ୟକ ହେଉଥିବା ଜଳ ଆଗକୁ ମିଳିବା କଷ୍ଟକର ହୋଇପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
ସାରା ବିଶ୍ୱରେ ବିଶ୍ୱ ଦଳ ଦିବସ ପାଳନ କରାଯାଉଥିବାବେଳେ ପାଣିର ଉଚିତ ବ୍ୟବହାର ତଥା ଏହାର ସୁରକ୍ଷା ପାଇଁ ଆଲୋଚନା ଚାଲିଛି ।