ସମ୍ପତ୍ତି ପାଇଁ ଅଟକିଲା ଅନ୍ତିମ ସଂସ୍କାର ! ଶଶ୍ୱରଙ୍କ ମୃତଦେହକୁ ନେଇ ମୁହାଁମୁହିଁ ହେଲେ ଦୁଇ ବୋହୂ, ମେଡିକାଲରେ ଚାଲିଲା ହଙ୍ଗାମା ।

283

କନକ ବ୍ୟୁରୋ : ସମ୍ପତ୍ତି ପାଇଁ ଶ୍ଵଶୁରଙ୍କ ମୃତଦେହକୁ ନେଇ ଦୁଇ ବୋହୂଙ୍କ ମଧ୍ୟରେ ଝଗଡା । ଅନ୍ତିମ ସଂସ୍କାର କିଏ କରିବ, ତାହାକୁ ନେଇ ମେଡିକାଲ ପରିସରରେ ଝଗଡା ଏତେ ତୀବ୍ର ହୋଇଥିଲା ଯେ ଶେଷରେ ପୁଲିସ ଓ ମାଜିଷ୍ଟ୍ରେଟ ଆସି ବିବାଦର ସମାଧାନ କରିଥିଲେ । ରାଜସ୍ଥାନର ଚିତୋରଗଡ଼ରେ କିଛି ଏଭଳି ଘଟଣା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ଦୀର୍ଘ ଦିନ ଧରି ଅସୁସ୍ଥ ରହିବା କାରଣରୁ ଏହି ଅଂଚଳର ଜଣେ ବ୍ୟକ୍ତିଙ୍କର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା ।

ଏହା ପରେ ମୃତଦେହ ନେବାକୁ ବଡ ବୋହୂ ଓ ସାନ ବୋହୂ ଆସି ପହଁଚିଯାଇଥିଲେ । ବଡ ବୋହୂକୁ ଡାକ୍ତରଖାନା କର୍ତ୍ତୃପକ୍ଷ ମୃତଦେହ ହସ୍ତାନ୍ତର କରିବାର ନିଷ୍ପତ୍ତି ନେବା ପରେ ଏହାକୁ ନେଇ ସାନ ବୋହୂ ଆପତ୍ତି ପ୍ରକାଶ କରିଥିଲେ । ଶ୍ଵଶୁରଙ୍କ ଉପରେ କେବଳ ତାଙ୍କର ହକ ବୋଲି ରୋକଠୋକ ଶୁଣାଇ ଦେଇଥିଲେ । ସାନ ବୋହୂ ମେଡିକାଲ ପରିସରରେ ହଙ୍ଗାମା କରିଥିବା ନେଇ ସ୍ଥାନୀୟ ଲୋକ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲା ।

ଏଥିରୁ ଜଣାପଡିଥିଲା ଯେ ମୃତକଙ୍କ ବଡ ବୋହୂ ଦୀର୍ଘ ୧୦ ବର୍ଷ ଧରି ଶ୍ଵଶୁରଙ୍କ ସେବା ଶୁଶ୍ରୁଷା କରି ଆସୁଥିଲା । ସାନ ବୋହୂ ଏଥିରେ କୌଣସି ସହଯୋଗ କରିନଥିଲେ । କିନ୍ତୁ ଶ୍ଵଶୁରଙ୍କ ମୃତ୍ୟୁ ପରେ କିଭଳି ସମ୍ପତ୍ତି ମିଳିପାରିବ ସେ ନେଇ ସାନ ବୋହୂ ଯୋଜନା ଆରମ୍ଭ କରିଥିଲେ । ଶ୍ଵଶୁରଙ୍କ ଅନ୍ତିମ ସଂସ୍କାର କରିବାକୁ ଜିଦ କରି ମେଡିକାଲ ପରିସରରେ ହଙ୍ଗାମା କରିଥିଲେ । ଏହି ଘଟଣା ଜଣାପଡିବା ପରେ ବଡ ବୋହୂକୁ ଶ୍ଵଶୁରଙ୍କ ଅନ୍ତିମ ସଂସ୍କାର କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଥିଲା ।