ମୋଦିଙ୍କ କୁଶପୁତ୍ତଳିକା ଜଳାଅ ପଛେ ଗରିବ ଲୋକର ଅଟୋ ଜାଳନି । ରାମଲୀଳା ମୈଦାନରେ କାହିଁକି ଏମିତି କହିଲେ ମୋଦି ।

260

କନକ ବ୍ୟୁରୋ : ଦିଲ୍ଲୀରେ ବିଜେପିର ଧନ୍ୟବାଦ ରାଲିରେ ପୂରା ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ରାମଲୀଳା ମୈଦାନରେ ଆୟୋଜିତ ହୋଇଥିବା ଏହି ସଭାରୁ ସିଏଏକୁ ବଡ ବୟାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ନାଗରିକତା ସଂଶୋଧନ ଆଇନକୁ ନେଇ ମୋଦି କହିଛନ୍ତି, ଯଦି ଆପଣଙ୍କୁ ମୁଁ ପସନ୍ଦ ନୁହେଁ କିମ୍ବା ଆପଣ ମୋତେ ଘୃଣା କରୁଛନ୍ତି ତେବେ ମୋର କୁଶପୁତ୍ତଳିକାକୁ ଜୋତା ମାର ନଚେତ ଜଳାଅ । କିନ୍ତୁ ଦେଶର ଗରିବ ଲୋକଙ୍କ ଅଟୋରେ ନିଆଁ ଲଗାଅ ନାହିଁ କି ସରକାରୀ ସମ୍ପତିକୁ ନଷ୍ଟ କରନାହିଁ ।

ସିଏଏକୁ ନେଇ ହିଂସା ସୃଷ୍ଟି କରିବା ଦ୍ୱାରା ଆପଣଙ୍କୁ କଣ ମିଳିବ । କିଛି ଲୋକ ପୋଲିସ ଉପରକୁ ଫଥର ଫିଙ୍ଗୁଛନ୍ତି । ଶାନ୍ତି ଫେରାଇ ଆଣିବା ପାଇଁ ପୋଲିସ ପ୍ରୟାସ କରୁଥିବା ବେଳେ କିଛି ଲୋକେ ପୋଲିସକୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । କିନ୍ତୁ ପୋଲିସକୁ ଫଥର ଫିଙ୍ଗୁଥିବା ଲୋକେ ଜାଣିବା ଆବଶ୍ୟକ ଯେ,  ପୋଲିସ କାହାର ଶତ୍ରୁ ନୁହଁନ୍ତି । ସ୍ୱାଧୀନତା ପରେ ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ୩୩ ହଜାର ପୋଲିସ ଜୀବନ ଦେଇଛନ୍ତି । ଏକଥା ସମସ୍ତେ ଜାଣି ରଖିବା ଆବଶ୍ୟକ ବୋଲି  କହିଛନ୍ତି ମୋଦି।

ଏହାଛଡା ନାଗରିକତା ଆଇନକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଆଇନ ଦ୍ୱାରା କୌଣସି ଭାରତୀୟ ପ୍ରଭାବିତ ହେବେ ନାହିଁ । କିଛି ସହରୀ ନକ୍ସଲ ଏହି ଆଇନକୁ ନେଇ ଲୋକଙ୍କୁ ଭ୍ରମିତ କରୁଛନ୍ତି । କିଛି ଲୋକ ଏଭଳି ମିଥ୍ୟା ପ୍ରଚାର କରି ଲୋକଙ୍କ ମଧ୍ୟରେ ଲଢେଇ କରିବାକୁ ଚାହୁଁଛନ୍ତି । ତେଣୁ ଏମାନଙ୍କ କଥା ନ ଶୁଣିବାକୁ ଆହ୍ୱାନ ଦେଇଛନ୍ତି ମୋଦି । ବିଜେପି ସରକାର ଏଭଳି ଆଇନ ଆଣିଛି ଲୋକଙ୍କୁ ନାଗରିକତା ପ୍ରଦାନ କରିବାକୁ ନାଗରିକତା ଛଡାଇବାକୁ ନୁହେଁ ।

ଏହାପୂର୍ବରୁ କଂଗ୍ରେସ ବାଂଲାଦେଶରେ ପ୍ରପୀଡିତ ଲୋକଙ୍କୁ ଭାରତରେ ନାଗରିକତା ପ୍ରଦାନ କରିବାକୁ କହୁଥିଲେ । କିନ୍ତୁ ରାତାରାତି ଏମାନଙ୍କର ଆଭିମୁଖ୍ୟରେ ପରିବର୍ତ୍ତନ ଆସିଛି । ଏହାଛଡା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ମୋଦି । ଏହି ବିଲକୁ ସଂସଦରେ ପାରିତ କରିଥିବାରୁ ସାଂସଦ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି ସରକାର । କିଛି ରାଜନୈତିକ ଦଳ ଏହି ବିଲକୁ ନେଇ ମିଥ୍ୟା ପ୍ରଚାର କରୁଛନ୍ତି । ଖାସକରି ମୁସଲିମ୍ ସମ୍ପ୍ରଦାୟର ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି । ସେମାନଙ୍କ ଭାବନା ସହ ଖେଳିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏଭଳି ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାଛଡା ଏହି ଆଇନ ଦ୍ୱାରା କେହି ପ୍ରଭାବିତ ହେବେ ନାହିଁ ବୋଲି ଆଶ୍ୱସ୍ତ କରିଛନ୍ତି ମୋଦି ।