ଜନ୍ମମାଟିରେ ଜୟ ଜୟକାର: ଗାଁ ପାଇଁ ଗୌରବ ଆଣିଥିବା ଗିରିଶଙ୍କୁ ଦେଖି ଖୁସିରେ ଫାଟିପଡିଲା ବେତନଟୀ, ନାଚିନାଚି ବାଜା ବଜାଇ ମାଟିର ପୁଅକୁ ନେଲେ ପାଛୋଟି

582

କନକ ବ୍ୟୁରୋ: ଘଣ୍ଟ ବାଜୁଥିଲା, ନୃତ୍ୟ ଚାଲିଥିଲା । ପାରମ୍ପରିକ ବାଜାରେ ପ୍ରକମ୍ପିତ ହେଉଥିଲା ପୂରା ପରିବେଶ । ଆଉ ୟାରି ଭିତରେ ଫୁଲ ପକାଇ, ନାଚିନାଚି ମାଟିର ପୁଅକୁ ପାଛୋଟି ଆଣୁଥିଲେ ସମସ୍ତେ । କିଏ ଶଙ୍ଖ ଫୁଙ୍କୁଥିଲା, କିଏ ତାଳି ମାରୁଥିଲା ତ ଆଉ କିଏ ବିଶାଳ ଫୁଲହାର ଦେଇ ଗାଁର ଗୌରବକୁ ସ୍ୱାଗତ କରୁଥିଲା । ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ନିଜ ଜନ୍ମମାଟିରେ ଏମିତି କରାଯାଇଥିଲା ସ୍ୱାଗତ ସମ୍ବର୍ଦ୍ଧନା ।

ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମ ମାଟିରେ ପାଦ ରଖିଛନ୍ତି ଗିରିଶ ମୁର୍ମୁ । ତିିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଗିରିଶ ମୟୁରଭଞ୍ଜ ଜିଲ୍ଲା ବେତନଟୀ ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଆଉ ଏହି ଅବସରରେ ତାଙ୍କୁ ସ୍ୱାଗତ କରିବା ପାଇଁ ଏଭଳି ଆଡମ୍ବରପୂର୍ଣ୍ଣ ଆୟୋଜନ କରାଯାଇଥିଲା ।

ସରଳ, ନିରାଡ଼ମ୍ବର ଜୀବନ ଯାପନ କରୁଥିବା ଗିରିଶଙ୍କୁ ଅଞ୍ଚଳବାସୀ ଏଭଳି ଭଲପାଇବା ଦେଇ ସ୍ୱାଗତ କରିଥିବାରୁ ସେମାନଙ୍କ ପାଖରେ ସେ ସବୁଦିନ ଋଣି ହୋଇ ରହିଲେ ବୋଲି ଗିରିଶ କହିଛନ୍ତି ।

ତେବେ ଭଲ ପାଠ ପଢିବା ସହ ଲକ୍ଷ୍ୟ ପୂରଣ ପାଇଁ ନିରନ୍ତର ଉଦ୍ୟମ କଲେ ଜଣେ ସଫଳ ହୋଇ ପାରିବ । ସମସ୍ତଙ୍କ ପାଇଁ ଆଗକୁ ବଢିବାର ସୁଯୋଗ ଅଛି ତେଣୁ ସମସ୍ତେ ଚାହିଁଲେ ଆଗକୁ ବଢିପାରିବେ ବୋଲି ଛାତ୍ରଛାତ୍ରୀ ମାନଙ୍କୁ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଉପଦେଶ ଦେଇଛନ୍ତି । ତେବେ ଜନ୍ମମାଟିକୁ ଆସିଥିବା ମୁର୍ମୁ ନିଜ ଗାଁକୁ ଯିବା ସହ ବାଲେଶ୍ୱରରେ ରହୁଥିବା ସମ୍ପର୍କୀୟଙ୍କୁ ଭେଟି ଜମ୍ମୁ-କାଶ୍ମୀର ଫେରିଯିବେ ବୋଲି ସୂଚନା ମିଳିଛି ।