କୃଷି ସଚିବ କହିଲେ, ଆସନ୍ତା ନଭେମ୍ବରରେ ମିଳିବ ଦ୍ୱିତୀୟ କିସ୍ତି, ଅଗଷ୍ଟରୁ ସରିଛି ଯୋଗ୍ୟ ‘କାଳିଆ’ ହିତାଧିକାରୀଙ୍କ ଯାଞ୍ଚ ।

2,086

କନକ ବ୍ୟୁରୋ: ପୁଣି ଫେରିଲା ‘କାଳିଆ’ । ନଭେମ୍ବରରେ ପୁଣି ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ଦ୍ୱିତୀୟ କିସ୍ତିରେ ମିଳିବ ‘କାଳିଆ’ ଟଙ୍କା । ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ସଚିବଙ୍କ କହିବା ମୁତାବକ କେବଳ ‘କାଳିଆ’ ଯୋଜନାରେ ତାଲିକାଭୁକ୍ତ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଦ୍ୱିତୀୟ କିସ୍ତିରେ ‘କାଳିଆ’ ଦିଆଯିବ । କେତେ ଯୋଗ୍ୟ ଏବଂ କେତେ ଅଯୋଗ୍ୟ ‘କାଳିଆ’ ହିତାଧୀକାରୀ ଅଛନ୍ତି ସେନେଇ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା କହିଛନ୍ତି କୃଷି ସଚିବ ।

ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକ ପରେ ‘କାଳିଆ’ ହିତାଧିକାରୀଙ୍କ ପାଇଁ ଖୁସି ଖବର ଦେଇଛନ୍ତି କୃଷି ସଚିବ । ଏପରିକି ଅଗଷ୍ଟ ମାସରେ ଯୋଗ୍ୟ କାଳିଆ ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା କହିଛନ୍ତି କୃଷି ସଚିବ  । ସବୁଠାରୁ ବଡ଼କଥା ହେଲା କି, ୨୦୧୯ ସାଧାରଣ ନିର୍ବାଚନ ପରେ‘କାଳିଆ’ ଟଙ୍କା ପ୍ରଦାନ ଚାଲୁ ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଆଉ ଅଯୋଗ୍ୟ ‘କାଳିଆ’ ହିତାଧୀକାରୀଙ୍କ ପାଖରୁ ଟଙ୍କା ଫେରସ୍ତ ଅଣାଯିବ ବୋଲି ଗତ ସେପ୍ଟେମ୍ବର ୧୮ରେ କହିଥିଲେ କୃଷିମନ୍ତ୍ରୀ ଅରୁଣ ସାହୁ ।

ଅନ୍ୟପଟେ କାଳିଆ ଯୋଜନାରେ ମୋଟ୍ ୫୧.୦୫ ଲକ୍ଷ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ସିଧାସଳଖ ହିତାଧିକାରୀଙ୍କ ଖାତାକୁ ଏହି ଟଙ୍କା ପଠାଯାଇଥିବା ତଥ୍ୟ ଦେଇଥିଲେ କୃଷିମନ୍ତ୍ରୀ । ତେବେ ଏହି ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୧ ଶତକଡାରୁ କମ ହିତାଧିକାରୀ ଅଯୋଗ୍ୟ ବିବେଚିତ ହୋଇଥିଲେ ।  ମୋଟ ୫୧.୦୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୩୨୦୦୦ ହଜାର ଜଣ ସରକାରୀ କର୍ମଚାରୀ/ପେନସେନ ଭୋଗୀ ଅଯୋଗ୍ୟ ହିତାଧିକାରୀ ରହିଛନ୍ତି । ଏହି ୩୨୦୦୦ ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ କିଛି ବଡ ଚାଷୀ ମଧ୍ୟ ରହିଥିବା କହିଥିଲେ ବିଭାଗୀୟ ମନ୍ତ୍ରୀ । ତେବେ ଆସନ୍ତା ନଭେମ୍ବରରେ ମିଳିଥିବାକୁ ଥିବା ଦ୍ୱିତୀୟ କିସ୍ତିର ‘କାଳିଆ’ କେତେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ତାହା ଉପରେ ନଜର ।