କଲେଜ ପିଲାଙ୍କୁ ଗାଡ଼ି ଓ ମୋବାଇଲ ମନା। ବାଲେଶ୍ୱର ଫକିରମୋହନ ଜୁନିଅର କଲେଜରେ ପରୀକ୍ଷାମୂଳକ ଭାବେ ଲାଗୁ ହେଲା ନୂଆ ନିୟମ।

135

କନକ ବ୍ୟୁରୋ: ଦିନକୁ ଦିନ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନେ ମୋବାଇଲ ଓ ଗାଡ଼ିର ବହୁଳ ବ୍ୟବହାର କରୁଛନ୍ତି । ଯାହାର ଅନେକ କୁପରିଣାମ ମଧ୍ୟ ଦେଖିବାକୁ ମିଳୁଛି । ମୋଟରଗାଡ଼ି ଅଧିନିୟମ ଅନୁସାରେ ଯେତେ ପଦକ୍ଷେପ ନିଆଗଲେ ମଧ୍ୟ ନାବାଳକ ଓ ନାବାଳିକାଙ୍କୁ ଗାଡ଼ି ଚଳାଇବାରୁ ନିବୃତ କରାଇବା ସମ୍ଭବ ହେଉନାହିଁ । ସେଥିପାଇଁ ବାଲେଶ୍ୱର ଫକୀର ମୋହନ ଜୁନିୟର କଲେଜରେ ପରୀକ୍ଷାମୂଳକ ଭାବେ ଏକ ନୂଆ ନିୟମ ଲାଗୁ କରାଯାଇଛି ।

ପ୍ରଥମତଃ କଲେଜକୁ କୌଣସି ଛାତ୍ରଛାତ୍ରୀ ଫୋନ ଆଣିପାରିବେ ନାହିଁ ଓ ଦ୍ୱିତୀୟରେ ଗାଡ଼ି ମଧ୍ୟ ଆଣିପାରିବେ ନାହିଁ । ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ମଧ୍ୟ ଗଠନ କରାଯାଇଛି । ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି । କରୋନା ସମୟରେ ଅନଲାଇନରେ ପାଠପଢୁଥିବା ବେଳେ ପରବର୍ତି ସମୟରେ ମୋବାଇଲର ଅପବ୍ୟବହାର ଓ କଲେଜକୁ ବାଇକ୍ ନେଇ ଆସିବା ଦ୍ୱାରା ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ଅଣଛାତ୍ରମାନେ କଲେଜ ପରିସରରେ ପସି ଛାତ୍ରୀ ଏବଂ ଅଧ୍ୟାପିକାଙ୍କୁ ମଧ୍ୟ କମେଣ୍ଟ ମାରିବା ସହ ଉଚ୍ଚ ଶବ୍ଦ କରିବା ଯୋଗୁଁ କ୍ଲାସରେ ପାଠପଢା ବାଧାପ୍ରାପ୍ତ ହେଉଥିଲା । ହାତରେ ଗାଡ଼ି ଥିବାରୁ ଛାତଛାତ୍ରୀମାନେ ଅନେକ ସମୟରେ କ୍ଲାସରେ ଅନୁପସ୍ଥିତ ରହୁଥିଲେ । ଏପରିକି ଗାଡ଼ି ଦୁର୍ଘଟଣାରେ ଛାତ୍ରଙ୍କ ଜୀବନ ମଧ୍ୟ ଯାଇଛି । କଲେଜର ଏଭଳି ପରିସ୍ଥିତିକୁ ସୁଧାରିବା ପାଇଁ ପରୀକ୍ଷାମୂଳକ ଭାବେ ଏହି ନିୟମ ଲାଗୁ କରି କଡ଼ାକଡ଼ି କରାଯାଇଛି । ଖାଲି ପିଲାଙ୍କ ପାଇଁ ନୁହେଁ ନିଜେ କଲେଜ ଅଧ୍ୟକ୍ଷ ମଧ୍ୟ ପ୍ରତିିଦିନ କଲେଜକୁ ସାଇକେଲରେ ଆସୁଛନ୍ତି ।