ବଡ ପଦ ସମ୍ଭାଳିବାକୁ ପ୍ରସ୍ତୁତ ହେଉଛନ୍ତି ଅଶୋକ ଗେହଲଟ । କହିଲେ, ପଦ ବଡ ନୁହେଁ କିନ୍ତୁ ଦଳ ଯାହା ଦାୟିତ୍ୱ ଦେବ ଗ୍ରହଣ କରିବି

79

କନକ ବ୍ୟୁରୋ : ଦେଶର ସର୍ବପୁରାତନ ରାଜନୈତିକ ଦଳର କିଏ ହେବ ଅଧ୍ୟକ୍ଷ ? ଦଳର ହାଇକମାଣ୍ଡ କାହା ମୁଣ୍ଡରେ ଢାଳିବେ ସୁନା କଳଶ ? ଏହାକୁ ନେଇ ଏବେ ଦେଶର ରାଜନୀତି ବେଶ୍ ସରଗରମ ରହିଛି । ଏହି କ୍ରମରେ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ନାମ ସର୍ବାଗ୍ରେ ଥିବା ବେଳେ ଏବେ କିନ୍ତୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଦଳର ବରିଷ୍ଠ ନେତା ଶଶି ଥରୁରଙ୍କ ନାମ ଆଗକୁ ଆସିଛି । ଏନେଇ ପ୍ରଥମେ ଶଶି ଥରରୁ ସୋନିଆ ଗାନ୍ଧୀଙ୍କୁ ଭେଟିଥିବା ବେଳେ ଆଜି ଅଶୋକ ଗେହଲଟ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଦିଲ୍ଲୀ ପହଂଚିଛନ୍ତି ।

ଗେହଲଟ ଦିଲ୍ଲୀ ପହଂଚିବା ପରେ ଗଣମାଧ୍ୟମକୁ ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ଏଥିରୁ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି ଯେ ଅଶୋକ ଗେହଲଟ ହିଁ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହୋଇପାରନ୍ତି । ଜଣେ ବ୍ୟକ୍ତି ଗୋଟିଏ ପଦ ନିୟମ ଉପରେ ଅଶୋକ ଗେହଲଟ କହିଛନ୍ତି କି ଯେତେବେଳେ ଦଳର ହାଇକମାଣ୍ଡ ନୋମିନେଟ କରୁଛନ୍ତି ତ ସେତେବେଳେ ଜଣେ ବ୍ୟକ୍ତି ୨ ଟି ପଦରେ ରହିପାରିବେ   । ଏହା ଏକ ଖୁଲା ନିର୍ବାଚନ, ଏଥିରେ କେହି ବି ଭାଗ ନେଇପାରିବେ ।

ସେପଟେ ଏକ ଟ୍ୱିଟ୍ କରି ଅଶୋକ ଗେହଲଟ କହିଛନ୍ତି କି, ଆଜି ପର୍ଯ୍ୟନ୍ତ ପାର୍ଟି ମୋତେ ସବୁକିଛି ଦେଇଛି । ଗତ ୪୦-୫୦ ବର୍ଷ ମଧ୍ୟରେ ମୁଁ ଦଳର ଅନେକ ପଦ ପଦବୀରେ ରହିଆସିଛି । ମୋ ପାଇଁ ପଦ ପଦବି କିଛି ଗୁରୁତ୍ୱ ରଖେନାହିଁ । ହେଲେ ଦଳ ଏବେ ମୋତେ ଯେଉଁ ପଦ ଦେବ ତାହାକୁ ସୂଚାରୁରୂପେ ପାଳନ କରିବି ବୋଲି ସେ ଟ୍ୱିଟରରେ ଲେଖିଛନ୍ତି ।