କନକ ବ୍ୟୁରୋ: ଦୁର୍ଘଟଣା ଓ ଟ୍ରାଫିକ୍ ସମସ୍ୟା ସମାଧାନ ପାଇଁ ବଲାଙ୍ଗୀର ପୌରପାଳିକାର ନିଆରା ପଦକ୍ଷେପ । ରାସ୍ତାରେ ବୁଲୁଥିବା ବୁଲା ଗାଇଗୋରୁଙ୍କୁ ଧରି ଦୁଗ୍ଧ ସୋସାଇଟିର ଦୁଗ୍ଧ ଚାଷୀଙ୍କୁ ହସ୍ତାନ୍ତର କରୁଛି ପୌର ପ୍ରଶାସନ । ଦିନକୁ ଦିନ ବଲାଙ୍ଗୀରରେ ବୁଲା ଗାଇଗୋରୁଙ୍କ ସଂଖ୍ୟା ବଢିବା ଯୋଗୁଁ ସହରରେ ଟ୍ରାଫିକ୍ ସମସ୍ୟା ସହ ଦୁର୍ଘଟଣା ଘଟୁଛି । ଆଉ ଏଥିପାଇଁ ସାଧାରଣ ଲୋକେ ମ୍ୟୁନିସିପାଲଟିକୁ ଦାୟୀ କରୁଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଅଣ୍ଟାଭିଡ଼ିଛି ବଲାଙ୍ଗୀର ପୌରପାଳିକା ।
ପ୍ରଥମେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଇବା ପରେ ଏବେ ଗାଇ ଗୋରୁଙ୍କୁ ଧରି କ୍ଷୀର ସୋସାଇଟିର ଚାଷୀଙ୍କୁ ହସ୍ତାନ୍ତର କରୁଛି ମ୍ୟୁନିସିପାଲଟି । ବିଭିନ୍ନ ଅଂଚଳରୁ କ୍ଷୀର ଚାଷୀମାନେ ଆସି ଗାଇ ନେଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଗାଇ ଗୋରୁ ଭଳି ନିରୀହ ପ୍ରାଣୀଙ୍କୁ ରାସ୍ତାକଡ଼କୁ ନଛାଡ଼ିବା ପାଇଁ ନିବେଦନ କରିଛନ୍ତି ପୌର ପ୍ରଶାସନ । ଗାଇମାନଙ୍କୁ ନିଜ ଦାୟିତ୍ୱରେ ରଖନ୍ତୁ କ୍ଷୀର ଦୁହିଁବା ପରେ ବାହାରକୁ ନଛାଡ଼ନ୍ତୁ ବୋଲି ମ୍ୟୁନିସିପାଲଟି ପକ୍ଷରୁ କୁହାଯାଇଛି ।