ଟୋକିଓରେ ଓଡ଼ିଶା ବିଜନେସ୍ ମିଟକୁ ସମ୍ବୋଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ୨ଶହ ଶିଳ୍ପ ପ୍ରତିନିଧିଙ୍କ ସହ କଲେ ଆଲୋଚନା

254

କନକ ବ୍ୟୁରୋ: ଓଡିଶାରେ ଶିଳ୍ପର ସମ୍ଭାବନା ନେଇ ଟୋକିଓର ଓକୁରାରେ ଆୟୋଜିତ ହୋଇଛି ଓଡିଶା ବିଜନେସ୍ ମିଟ୍ ୨୦୨୩ । ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜନେସ୍ ମିଟ୍କୁ ସମ୍ବୋଧିତ କରିଛନ୍ତି । ଏଥିରେ ଜାପାନ ଓ ଭାରତୀୟ ଉପ ମହାସାଗରୀୟ ଅଂଚଳର ୨ଶହରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଓ ନିବେଶକ ଯୋଗ ଦେଇଛନ୍ତି । ଓଡିଶାରେ ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ଶିଳ୍ପପତୀଙ୍କ ସହ ଆଲୋଚନା କରିଛନ୍ତି । କେବଳ ସେତିକି ନୁହେଁ ଓଡିଶାରେ ନିବେଶ କରିବାକୁ ପୁଂଜିପତିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ପରେ ଓଡିଶାରେ ପୁଂଜିନିବେଶର ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟରେ ସର୍ବବୃହତ ଅତ୍ୟାଧୁନିକ ଷ୍ଟିଲ ପ୍ଲାଂଟ୍ ପ୍ରତିଷ୍ଠା ହେବ । ୩୦ ନିୟୁତ ଟନର ଏହି ମେଗା ଗ୍ରୀନ୍ ଫିଲ୍ଡ ଗଢିବ ଜାପାନ ଷ୍ଟିଲ । ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଆଲୋଚନା ବେଳେ ନିପନ ଷ୍ଟିଲ କର୍ପୋରେସନ୍ର ସଭାପତି ଏଇଜି ହାଶିମୋଟା ଏନେଇ ଘୋଷଣା କରିଛନ୍ତି । ପ୍ରସ୍ତାବିତ ପ୍ରକଳ୍ପରେ ୧ ଲକ୍ଷ କୋଟି ଟଙ୍କା ନିବେଶ ହେବ ବୋଲି ଅନୁମାନ କରାଯାଉଛି ।

ଜାପାନ ଶିଳ୍ପପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
– ଓଡିଶା ବିଜନେସ୍ ମିଟ୍ରେ ଶିଳ୍ପପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
– ୨ଶହରୁ ଅଧିକ ଶିଳ୍ପପତି, ବ୍ୟବସାୟୀ ଓ ନିବେଶକଙ୍କୁ ଭେଟିଲେ ନବୀନ
– ଓଡିଶାରେ ନିବେଶ କରିବାକୁ ପୁଂଜିପତିଙ୍କୁ ନିମନ୍ତ୍ରଣ
– ନିବେଶ କରିବାକୁ ଶିଳ୍ପପତିଙ୍କୁ ବୁଝାଇଲେ ମୁଖ୍ୟମନ୍ତ୍ରୀ
– ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଓଡିଶାରେ ନିବେଶ ନେଇ ବଢିଛି ସମ୍ଭାବନା
– ରାଜ୍ୟରେ ସର୍ବବୃହତ ଅତ୍ୟାଧୁନିକ ଷ୍ଟିଲ ପ୍ଲାଂଟ୍ ପ୍ରତିଷ୍ଠା ହୋଇପାରେ
– ନିପନ ଷ୍ଟିଲ କର୍ପୋରେସନ୍ର ସଭାପତି ନିବେଶ ନେଇ ଦେଲେ ସଂକେତ
– ୩୦ ନିୟୁତ ଟନର ମେଗା ଗ୍ରୀନ୍ ଫିଲ୍ଡ ଗଢିବ ଜାପାନ ଷ୍ଟିଲ
– ପ୍ରସ୍ତାବିତ ପ୍ରକଳ୍ପରେ ୧ ଲକ୍ଷ କୋଟି ଟଙ୍କା ନିବେଶ ନେଇ ଅନୁମାନ

ଜାପାନରେ ଓଡିଆ ସୋସାଇଟିକୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ନିବେଶ କରିବାକୁ ପୁଂଜିପତିଙ୍କୁ କରିଛନ୍ତି ନିମନ୍ତ୍ରଣ । ଏହାସହ ମୁଖ୍ୟମନ୍ତ୍ରୀ ଜାପାନରେ ଅବସ୍ଥାପିତ ପ୍ରବାସୀ ଓଡ଼ିଆଙ୍କୁ ଭେଟି ସେମାନଙ୍କସହ ଆଲୋଚନା କରିଛନ୍ତି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାପାନ ଓଡିଆ ସୋସାଇଟି ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଛନ୍ତି । ନବୀନ ପଟ୍ଟନାୟକଙ୍କ ସହ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ମନୋଜ ମିଶ୍ର, ଫାଇବ ଟି ସଚିବ ଭି.କେ ପାଣ୍ଡିଆନ୍, କ୍ରୀଡା ଓ ଯୁବ ବ୍ୟାପାର ସଚିବ ଓ ଇପିକଲର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଜାପାନ ଗସ୍ତରେ ସାମିଲ ହୋଇଛନ୍ତି । ଓଡିଆ ସୋସାଇଟିଙ୍କୁ ସାକ୍ଷାତ୍ କରିବା ସହ, ଆସନ୍ତା କାଲି ରାଜ୍ୟସରକାରଙ୍କ ପ୍ରତିନିଧି ଦଳ ନିପନ ଷ୍ଟିଲ କର୍ପୋରେସନର କିମିସୁ ଷ୍ଟିଲ ୱାର୍କସ୍ ସେଂଟର ପରିଦର୍ଶନ କରିବେ । ଏହାସହ ମେଟାଲ, ଆଇଟି, ପର୍ଯ୍ୟଟନ, ଆଲୁମିନିୟମ୍, ଟେକ୍ସଟାଇଲ, ଖାଦ୍ୟ ପ୍ରକ୍ରିୟାକରଣ ଓ ଗ୍ରୀନ୍ ହାଇଡ୍ରୋଜେନ୍ କ୍ଷେତ୍ର ମଧ୍ୟ ବୁଲିବେ ଏହି ପ୍ରତିନିଧି ଦଳ ।