ଅନୁଚ୍ଛେଦ ୩୭୦ ହଟିବା ପରେ କେତେ ବାହାର ଲୋକ ଜାମ୍ମୁ-କାଶ୍ମୀରରେ କିଣିଛନ୍ତି ଜମି, ସଂସଦରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ

375

କନକ ବ୍ୟୁରୋ : ୩୭୦ ହଟିବା ପରେ ଜମ୍ମୁ-କାଶ୍ମୀରରେ ବହୁତ ବିକାଶ ହୋଇଥିବା ସରକାର ଡିଣ୍ଡିମ ପିଟୁଛନ୍ତି । ଏହାକୁ ନେଇ ବିରୋଧୀଦଳ ନେତାମାନେ ବାରମ୍ବାର ପ୍ରଶ୍ନ କରୁଛନ୍ତି କି ୩୭୦ ହଟିବା ପରେ କେତେ ବାହାର ଲୋକ ଜାମ୍ମୁ-କାଶ୍ମୀରରେ ଜମି କିଣିଛନ୍ତି ଓ କେତେ ବାହାର କମ୍ପାନୀ ସେଠାରେ ନିବେଶ କରିଛନ୍ତି । ବୁଧବାର ଦିନ ବିରୋଧୀଦଳ ନେତାଙ୍କ ଏଭଳି ପ୍ରଶ୍ନର ଉତର ରଖିଛନ୍ତି କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

ନିତ୍ୟାନନ୍ଦ ରାୟ ଗୃହରେ ଦେଇଥିବା ସୂଚନା ମୁତାବକ ୨୦୨୦,୨୦୨.୨୦୨୨ ରେ ମୋଟ ୧୮୫ ଜଣ ବାହାର ଲୋକ ଜମ୍ମୁ-କାଶ୍ମୀରରେ ଜମି କିଣିଛନ୍ତି । ଏହାସହ କେନ୍ଦ୍ରମନ୍ତ୍ରୀ ଲଦାଖ କଥା ମଧ୍ୟ କହିଛନ୍ତି । ନିତ୍ୟାନନ୍ଦ ରାୟ କହିଛନ୍ତି କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ ଗତ ୩ବର୍ଷ ମଧ୍ୟରେ ଲଦାଖରେ କୌଣସି ବାହାର ଲୋକ ଜମି କିଣି ନାହାଁନ୍ତି ।

କେବଳ ସେତିକି ନୁହେଁ ଜମ୍ମୁ-କାଶ୍ମୀରରେ ଗତ ୩ବର୍ଷ ମଧ୍ୟରେ ୧୫୫୯ଟି ଭାରତୀୟ ଓ ବହୁ ରାଷ୍ଟ୍ରୀୟ କମ୍ପାନୀ ନିବେଶ କରିଛନ୍ତି । ଏହାସହ କ୍ରାଇମ୍ ରେକର୍ଡ ବ୍ୟୁରୋ ତରଫରୁ କ୍ରାଇମ ଇଣ୍ଡିଆ ନାମକ ନିଜର ରିପୋର୍ଟରେ ଦର୍ଶାଇଛି କି, ଗତ ୩ବର୍ଷ ମଧ୍ୟରେ ଆଇପିସି ଓ ଲୋକଲ ଲ ମୁତାବକ ଜମ୍ମୁ-କାଶ୍ମୀରରେ ନାବାଳକଙ୍କ ନାମରେ ଆସୁଥିବା ଅଭିଯୋଗ କମ୍ ହୋଇଛି । କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ କହିଛନ୍ତି କି, ୨୦୧୯ ମସିହାରେ ନାବାଳକଙ୍କ ବିରୋଧରେ ୩୨,୨୬୯ ଟି ମାମଲା, ୨୦୨୧ ରେ ୨୯,୭୬୮ଟି ମାମଲା ଓ ୨୦୨୧ ରେ ୩୧,୧୭୦ଟି ମାମଲା ରୁଜୁ ହୋଇଛି ।

ସୂଚନା ଥାଉକି କେନ୍ଦ୍ର ସରକାର ୨୦୧୯ ମସିହାରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଏହାପରେ ଜମ୍ମୁ-କାଶ୍ମୀରରେ ବିଦେଶୀ ନିବେଶକ ନିବେଶ କରିବାର ସୁଯୋଗ ପାଇଥିଲେ । ଗତମାସରେ ଜମ୍ମୁ-କାଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ୨୫୦ କୋଟି ଟଙ୍କାର ଏକ ସପିଂ ମଲର ଉଦଘାଟନ କରିଥିଲେ । ଏହି ସପିଂ ମଲଟିର ନିର୍ମାଣ ସଂଯୁକ୍ତ ଆରବ ଏମିରେ ସ୍ଥିତ ଏମ୍ମାର ଗ୍ରୁପ ଦ୍ୱାରା ରାଜଧାନୀ ଶ୍ରୀନଗର ଠାରେ ନିର୍ମାଣ କରାଯାଉଛି ।