ବିରୋଧୀଦଳଙ୍କୁ ସୁପ୍ରିମକୋର୍ଟର ବଡ ଝଟକା, ଇଡି ଓ ସିବିଆଇର କାର୍ଯ୍ୟାନୁଷ୍ଠାନ ବିରୋଧରେ ହୋଇଥିବା ଆବେଦନ ଖାରଜ

729

କନକ ବ୍ୟୁରୋ : କେନ୍ଦ୍ର ସରକାର ଯାଂଚ ଏଜେନ୍ସିଗୁଡିକର ଦୂୂରୋପଯୋଗ କରୁଥିବା ନେଇ ବିରୋଧୀଦଳମାନେ ବାରମ୍ବାର ଅଭିଯୋଗ କରୁଛନ୍ତି । ଏହାସହ କିଛି ବିରୋଧୀଦଳ ମିଳିତ ଭାବେ ଏନେଇ ସୁପ୍ରିମକୋର୍ଟରେ ଆବେଦନ ମଧ୍ୟ କରିଥିଲେ । ହେଲେ ଏବେ ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।

ସୂଚନା ମୁତାବକ ୧୪ଟି ବିରୋଧୀଦଳ ମିଳିତ ଭାବେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ଏଥିରେ ଅଭିଯୋଗ କରାଯାଇଥିଲା କି କେନ୍ଦ୍ର ସରକାର ଯାଂଚ ଏଜେନ୍ସି ଗୁଡିକର ଦୂରୋପଯୋଗ କରି ବିରୋଧୀଦଳର ନେତାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହାକୁ ତତ୍କାଳ ପ୍ରଭାବରେ ବନ୍ଦ କରାଯାଉ ବୋଲି ଆବେଦନ କରାଯାଇଥିଲା । ହେଲେ ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଦେଇଛନ୍ତି ।

କୋର୍ଟ କହିଛନ୍ତି କି, ଦେଶରେ ନେତାମାନଙ୍କ ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଇପାରିବ ନାହିଁ । ଏହି କାରଣରୁ ଏହି ଆବେଦନ ଉପରେ ଶୁଣାଣି କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତି ।

ଏହାକୁ ନେଇ ବିରୋଧୀଦଳଙ୍କ ତରଫରୁ ମାମଲା ଲଢୁଥିବା ଓକିଲ ଅଭିଶେକମନୁ ସଂଘଭୀ କହିଛନ୍ତି କି, ସିବିଆଇ ଓ ଇଡି ଦ୍ୱାରା ମୋଟ ୮୮୫ଟି ମାମଲା ରୁଜୁ କରାଯାଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୨୩ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହାସହ ୨୦୦୪ରୁ ୨୦୧୪ ମଧ୍ୟରେ ଏସବୁ ମାମଲାରେ ଅଧାରୁ କମ୍ ଯାଂଚ ହୋଇଥିବା କଥା ସଂଘଭୀ କହିଛନ୍ତି  । ଆଉ ଏକ ତଥ୍ୟ ଦେଇ ସଂଘଭୀ କହିଛନ୍ତି କି ୨୦୧୪ ରୁ ୨୦୨୨ ମଧ୍ୟରେ ୧୨୧ ଜଣ ରାଜନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଓ ସେମାନଙ୍କ ମଧ୍ୟରୁ ୯୫ ଜଣ ବିରୋଧୀ ଦଳ ନେତା ।

ହେଲେ ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ କହିଥିଲେ କି ଆପଣଙ୍କ ପରିସଂଖ୍ୟାନ ଆପଣଙ୍କ ପାଇଁ ଠିକ୍ ହୋଇପାରେ । ହେଲେ କଣ ରାଜନେତାଙ୍କ ପାଖରେ ଯାଂଚରୁ ବର୍ତ୍ତିବା ପାଇଁ କିଛି ବିଶେଷ ଅଧିକାର ରହିଛି କି ବୋଲି ସେ ପ୍ରଶ୍ନ କରିବା ସହ ରାଜନେତାମାନେ ବି ଦେଶର ନାଗରିକ ବୋଲି କହିଥିଲେ ।