ଆଗକୁ ବଢ଼ିଚାଲିଛି ଚନ୍ଦ୍ରଯାନ-୩: ପୃଥିବୀଠାରୁ ୪୨ ହଜାର କିଲୋମିଟର ଦୂରରେ କରୁଛି ପରିକ୍ରମା 

290

କନକ ବ୍ୟୁରୋ: ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ପରେ ସାରା ଦେଶରେ ଖୁସି ଓ ଉତ୍ସାହ ରହିଛି । ହେଲେ ଏବେ ସମସ୍ତିଙ୍କ ନଜର ଅଟକିଛି ଏହାର ଯାତ୍ରା ଉପରେ । ୪୨ ଦିନର ଯାତ୍ରା ପରେ ଚନ୍ଦ୍ରଯାନ-୩ ଏହାର ଗନ୍ତବ୍ୟସ୍ଥଳରେ ପହଂଚିବ । ଅଗଷ୍ଟ ୨୩ ତାରିଖ ସଂଧ୍ୟା ୫ ଟା ୪୭ ମିନିଟରେ ଚନ୍ଦ୍ରପୃଷ୍ଠରେ ଏହା ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଲକ୍ଷ୍ୟ ରଖାଯାଇଛି । ଯଦି ଆବଶ୍ୟକ ହୁଏ, ତେବେ ଏହା ପରିବର୍ତନ କରାଯିବ । ପୃଥିବୀର ୧୪ ଦିନ ଚନ୍ଦ୍ରର ଗୋଟିଏ ଦିନ ହୋଇଥିବାରୁ ସୂର୍ଯ୍ୟ ଉଦୟ ସମୟରେ ଲ୍ୟାଣ୍ଡିଂ କରାଇବା ପାଇଁ ଉଦ୍ୟମ କରାଯିବ ।

ଯଦି ଏଥର ଇସ୍ରୋ ସଫଳ ହୁଏ, ତାହେଲେ ଅନ୍ୟ ୩ଟି ଦେଶର ତାଲିକାରେ ସାମିଲ ହେବ ଭାରତ । ଆମେରିକା, ରୁଷ୍ ଓ ଚୀନ୍ ସହ ସମକକ୍ଷ ହୋଇପାରିବ ଭାରତ । ଏହା ଦେଶ ପାଇଁ ଏକ ବଡ଼ ଉପଲବ୍ଧି ହେବ ।

ଚନ୍ଦ୍ରଯାନ-୩ ସଫଳତାର ସହ ପୃଥିବୀ ପୃଷ୍ଠରୁ ଉତକ୍ଷେପଣ ସରିଥିବା ବେଳେ ଏବେ କକ୍ଷପଥରେ ରହିଛି । ଏହା ଆଗକୁ ବଢ଼ୁଛି । ତେବେ ଏବେ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ଜଟିଳ ପର୍ଯ୍ୟାୟ ବାକି ରହିଛି । ଚନ୍ଦ୍ରଯାନ-୨ରେ ମିଳିଥିବା ଶିକ୍ଷାକୁ ଏଥର ବୈଜ୍ଞାନିକମାନେ ବ୍ୟବହାର କରିଛନ୍ତି । ତେଣୁ ଏଥର ସଫ୍ଟ ଲ୍ୟାଣ୍ଡିଂ ସଫଳ ହେବ ବୋଲି ସମ୍ଭାବନା ବଢ଼ିଛି । ଉଭୟ ଆମେରିକା ଓ ରୁଷ୍ ଚନ୍ଦ୍ରପୃଷ୍ଠରେ ନିଜର ଯାନ ଓହ୍ଲାଇବା ପୂର୍ବରୁ ଏକାଧିକ ବାର ବିଫଳ ହୋଇଥିଲେ । କେବଳ ଚୀନ୍ ହିଁ ଗୋଟିଏ ଥରରେ ଏଥିରେ ସଫଳ ହୋଇପାରିଥିଲା ।

ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆକାଶର ଛାତି ଚିରି ସଫଳତାର ସହ ଉପରକୁ ଉଠିଲା ଚନ୍ଦ୍ରଯାନ-୩ । ଇସ୍ରୋର କଂଟ୍ରୋଲ ରୁମ୍ରେ ହସର ଲହରି ଖେଳିଗଲା, କାରଣ ୪ ବର୍ଷର ପରିଶ୍ରମ ଶେଷରେ ସାକାର ହୋଇଥିଲା । ସାରା ଦେଶ ଖୁସିରେ ଝୁମି ଉଠିଥିଲା । ଶ୍ରୀହରିକୋଟାରେ ଦର୍ଶକ ଗ୍ୟାଲେରିରେ ଦର୍ଶକମାନେ କେତେ ଖୁସିଯାଇଥିଲେ, ଏହି ଭିଡିଓ ବୟାନ କରୁଛି । ଚନ୍ଦ୍ରଯାନ-୩ ଉତକ୍ଷେପଣ ବେଳେ ଯେପରି ସାରା ଦେଶ ଏକ ହୋଇଯାଇଥିଲା । ଜାତି, ଧର୍ମ, ବର୍ଣ୍ଣ, କି ଗରିବ, କି ଧନୀ ସବୁ ଏକାଠି ହୋଇ ସଫଳତା ପାଇଁ ପ୍ରାର୍ଥନା କରୁଥିଲେ, ଆଶା ବାନ୍ଧିଥିଲେ । ଉତକ୍ଷେପଣ ତ ସଫଳ ହୋଇଛି, ଏବେ ସଫ୍ଟ ଲ୍ୟାଣ୍ଡି ଉପରେ ନଜର ଅଟକିଛି ।