ସ୍କିଲ ଡେଭଲପମେଣ୍ଟ ଦୁର୍ନୀତି ମାମଲାରେ ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ । ଚନ୍ଦ୍ରବାବୁ ଓ ତାଙ୍କ ପୁଅ ଉପରେ ରହିଛି ୩୭୧ କୋଟି ଟଙ୍କା ଠକେଇ ଅଭିଯୋଗ

474

କନକ ବ୍ୟୁରୋ : ଶନିବାର ଭୋରୁ ଭୋରୁ । ଏକ ଜନସଭାରେ ଯୋଗ ଦେବା ପରେ ଆନ୍ଧ୍ରପ୍ରଦେଶ ନାନ୍ଦିଆଲରେ ବିଶ୍ରାମ ନେଉଥିଲେ ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । କେହି କିଛି ବୁଝିବା ଆଗରୁ ହଠାତ ବିଶ୍ରାମସ୍ଥଳରେ ପହଁଚିଥିଲେ ସିଆଇଡି ଟିମ । ସିଆଇଡିର ଏଭଳି କାର୍ଯ୍ୟାନୁଷ୍ଠାନକୁ ସହଜରେ ଗ୍ରହଣ କରିପାରିନଥିଲେ ଦଳୀୟକର୍ମୀ ଓ ଚନ୍ଦ୍ରବାବୁଙ୍କ ସମର୍ଥନ । ପ୍ରବଳ ହଙ୍ଗାମା, ବିରୋଧରେ ଭିତରେ ଗିରଫ ହୋଇଥିଲେ ଆନ୍ଧ୍ର ରାଜନୀତି ଦୁନିଆର ଏହି ହାଇପ୍ରୋଫାଇଲ ଚେହେରା । ଆସନ୍ତୁ ଜାଣିବା କ’ଣ ଏହି ସ୍କିଲ ଡେଭଲପମେଂଟ ଦୁର୍ନୀତି ଓ କେମିତି ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ପୁଅ ନାଁରେ ଲାଗିଛି ୨୫୦କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ।

୨୦୧୬ ମସିହାରେ ରାଜ୍ୟର ବେକାରି ଯୁବକଙ୍କୁ ସ୍କିଲ ତାଲିମ ପାଇଁ ଆନ୍ଧ୍ର୍ରପ୍ରଦେଶ ସରକାର ସ୍କିଲ ଡେଭଲପମେଂଟ କୋପରେସନ ଗଠନ କରିଥିଲେ । ୩ହଜାର ୩ଶହ କୋଟି ଟଙ୍କାର ପ୍ରୋଜେକ୍ଟ ପାଇଁ ତତକାଳୀନ ଟିଡିପି ସରକାର ଦୁଇଟି ଗ୍ରୁପ ସହ ଏମଓୟୁ ସ୍ୱାକ୍ଷର କରିଥିଲେ । ଏହି ପ୍ରୋଜେକ୍ଟକୁ ରାଜ୍ୟ କ୍ୟାବିନେଟର ଅନୁମତି ମିଳିନଥିଲା ଏବଂ ଏଥିରେ ଦୁର୍ନୀତି ସାମ୍ନାକୁ ଆସିଥିଲା । ଏହାକୁ ନେଇ ୨୦୨୧ରେ ମାମଲା ରୁଜୁ ହୋଇଥିଲା । ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା । ତାଙ୍କ ଉପରେ ୨୫୦ କୋଟି ଠକେଇ ଅଭିଯୋଗ ହୋଇଥିଲା । ମାମଲାରେ ପୂର୍ବରୁ ୮ ଜଣଙ୍କୁ ଗିରଫ କରାଯାଇଛି ।

ସିଆଇଡି ଚନ୍ଦ୍ରବାବୁଙ୍କୁ ଗିରଫ କରିବା ପରେ ତାତି ଉଠିଛନ୍ତି ଟିଡିପି କର୍ମୀ, ନେତା ଓ ସମର୍ଥକ । ଆନ୍ଧ୍ରପ୍ରଦେଶର ସ୍ଥାନେ ସ୍ଥାନେ ବିକ୍ଷୋଭ କରିବା ସହ ପୋଡାଜଳା, ରାସ୍ତାରୋକ ଓ ବିରୋଧ ପ୍ରଦର୍ଶନ କରିଛନ୍ତି । ଏମାନଙ୍କ ମଧ୍ୟରୁ କିଛିଜଣଙ୍କୁ ବାନ୍ଧିଛି ପୁଲିସ ।ଗିରଫ ପରେ ଚନ୍ଦ୍ରବାବୁଙ୍କ ଡାକ୍ତରୀମାଇନା କରିବା ସହ କୋର୍ଟରେ ହାଜର କରାଯାଇଥିବା ସୂଚନା ରହିଛି ।