ଆକ୍ସନମୋଡରେ ତଦନ୍ତକାରୀ ସଂସ୍ଥା । ପ୍ରଶ୍ନ ପାଇଁ ଲାଂଚ ମାମଲାରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ଘରେ ସିବିଆଇ ଚଢ଼ାଉ

58

କନକ ବ୍ୟୁରୋ : ଟଙ୍କା ପାଇଁ ପ୍ରଶ୍ନ ମାମଲାରେ ଟିଏମସି ନେତ୍ରୀ ମହୁଆ ମୋଇତ୍ରାଙ୍କ ଘରେ ସିବିଆଇ ଚଢ଼ାଉ । ତାଙ୍କ କୋଲକାତା ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଲୋକପାଳଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନେଇଛି ସିବିଆଇ । ଟଙ୍କା ପାଇଁ ପ୍ରଶ୍ନ ମାମଲାରେ ଗତକାଲି ମହୁଆଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ସିବିଆଇ । ଏହି ମାମଲାରେ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଂଚ କରିବା ସହ ୬ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ମାର୍ଚ୍ଚ ୧୫ତାରିଖରେ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକପାଳ । ଏହାସହ ପ୍ରତି ମାସ ମଧ୍ୟ ଯାଂଚ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି । ଏହି ମାମଲାରେ ଗତବର୍ଷ ନିଜର ଲୋକସଭା ସଦସ୍ୟତା ହରାଇଛନ୍ତି ମହୁଆ । ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଶିଳ୍ପପତି ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇଥିବା ଅଭିଯୋଗ ରହିଛି    । ଏହାସହ ମହୁଆ ତାଙ୍କର ସଂସଦୀୟ ଲଗ-ଇନ୍ ତଥ୍ୟ ମଧ୍ୟ ଦେଇଥିବା ଅଭିଯୋଗ ରହିଛି ।

ସେପଟେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅଭିଯୁକ୍ତଙ୍କୁ ଗୁଡେଇ ତୁଡେଇ ଜେରା କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଗିରଫ ହୋଇଥିବା ବିଆରଏସ ନେତ୍ରୀ କେ କବିତାଙ୍କ ସର୍ମ୍ପକୀୟଙ୍କ ଘରେ ଚଢ଼ାଉ କରିଛି ଇଡି । ହାଇଦ୍ରାବାଦର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି । ଦୁର୍ନୀତି ମାମଲାରେ ମାର୍ଚ୍ଚ ୧୫ରେ ତଦନ୍ତକାରୀ ସଂସ୍ଥା ବିଆରଏସ ନେତ୍ରୀଙ୍କୁ ଗିରଫ କରିଥିଲା ।

ଶନିବାର କୋର୍ଟରେ ହାଜର କରିବା ସହ କବିତାଙ୍କ ରିମାଣ୍ଡ ମାର୍ଚ୍ଚ ୨୨ ଯାଏଁ ବୃଦ୍ଧି କରାଯାଇଛି । ଦିଲ୍ଲୀ ଦୁର୍ନୀତି ମାମଲାରେ କବିତାଙ୍କ ସାଉଥ କମ୍ପାନୀ ଆପକୁ ଶହେ କୋଟି ଟଙ୍କାର ଲାଂଚ ଦେଇଥିବା ଅଭିଯୋଗ ରହିଛି ।