ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବେ ଗରିବ ପିଲା । ଶିକ୍ଷା ଅଧିକାର ଆଇନ ଅନୁଯାୟୀ ମାଗଣାରେ ନାଁ ଲେଖାଉଛନ୍ତି ଯୋଗ୍ୟ ଛାତ୍ରଛାତ୍ରୀ । ହେଲେ, ବହି, ଖାତା, ଓ ୟୁନିଫର୍ମ ବାବଦକୁ ସ୍କୁଲକୁ ଦେବାକୁ ପଡୁଛି ଅଧିକ ଟଙ୍କା

83

କନକ ବ୍ୟୁରୋ: ରାଜ୍ୟର ବଡ ବଡ ଶିକ୍ଷାନୁଷ୍ଠାନରେ ପାଠ ପଢିବେ ଗରିବ ପିଲା । ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୧୭ ହଜାର ୨୩୫ ଛାତ୍ରଛାତ୍ରୀ ପ୍ରତିଷ୍ଠିତ ଘରୋଇ ଶିକ୍ଷାନୁଷ୍ଠାନରେ ମାଗଣାରେ ନାଁ ଲେଖାଇବେ । କିନ୍ତୁ ମାଗଣାରେ ମିଳିବାକୁ ଥିବା ପାଠ୍ୟ ପୁସ୍ତକ ଓ ସ୍କୁଲ ଡ୍ରେସ ଦେବାକୁ ରାଜି ନାହାନ୍ତି ସ୍କୁଲ କର୍ତୃପକ୍ଷ । ବରଂ ଏହା ବାବଦକୁ ସ୍କୁଲ କର୍ତୃପକ୍ଷ ପ୍ରତିବର୍ଷ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି ।ପାଠ ପଢିବାରେ ବ୍ୟସ୍ତ ଅଛି ଅର୍ଣ୍ଣବ ଆଉ ପାଖରେ ବସିଛନ୍ତି ମା’ । ପୁଅ ଭଲ ପାଠ ପଢିବ, ବାପା-ମାଙ୍କର ଦୁଖ ଦୂର ହେବ । ସବୁ ଅଭିଭାବକଙ୍କ ଭଳି ଅର୍ଣ୍ଣବଙ୍କ ମା ବି ସ୍ୱପ୍ନ ଦେଖିଛନ୍ତି । ଭରତପୁର ବସ୍ତିରେ ରହେ ଅର୍ଣ୍ଣବଙ୍କ ପରିବାର । ବାପା ଦିନ ମଜୁରିଆ ଆଉ ମା’ ଗୃହିଣୀ । ପୁଅକୁ ବଡ ଶିକ୍ଷାନୁଷ୍ଠାନରେ ପାଠ ପଢାଇବାର ସ୍ୱପ୍ନ ଦେଖିଥିଲେ ଅର୍ଣ୍ଣବଙ୍କ ବାପା-ମା’ । ଟଙ୍କା ଅଭାବରୁ ଏହି ସ୍ୱପ୍ନ ବି ମଉଳି ଯାଇଥାନ୍ତା, କିନ୍ତୁ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢିବାର ସୁଯୋଗ ପାଇଛନ୍ତି ଅର୍ଣ୍ଣବ ।ସେହିପରି ଶିକ୍ଷା ଅଧିକାର ଆଇନ ଆଧାରରେ ଭୁବନେଶ୍ୱରର ଶୁଭମ ଗତବର୍ଷ ଘରୋଇ ଶିକ୍ଷାନୁଷ୍ଠାନରେ ପ୍ରଥମ ଶ୍ରେଣୀରେ ନାଁ ଲେଖାଇଥିଲେ । ପୁଅ ଭଲ ଶିକ୍ଷାନୁଷ୍ଠାନରେ ମାଗଣାରେ ପଢିବାର ସୁଯୋଗ ପାଇଥିବାରୁ ଖୁସି ହୋଇଥିଲେ ପରିବାର ଲୋକ । କିନ୍ତୁ ଦୁର୍ଭାଗ୍ୟର କଥା, ପୁଅ ମାଗଣାରେ ପଢୁଛି ସିନା ବହି, ଖାତା, ଓ ୟୁନିଫର୍ମ ବାବଦକୁ ସ୍କୁଲକୁ ଦେବାକୁ ପଡୁଛି ଟଙ୍କା ।

ଶିକ୍ଷା ଅଧିକାର ଆଇନ ଆଧାରରେ ନାଁ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ମାଗଣାରେ ବହି ଓ ୟୁନିଫର୍ମ ମିଳିବ କି ନାହିଁ ସେନେଇ ଅନେକ ଦ୍ୱନ୍ଦ୍ୱରେ ଥିବାବେଳେ ଏହି ସରକାରୀ ଚିଠି ସ୍ପଷ୍ଟ କରୁଛି ଯେ, ପିଲା ପିଛା ଶିକ୍ଷା ବିଭାଗ ସ୍କୁଲକୁ ଫି’ ବାବଦରେ ୨୨ ହଜାର ୧୯୭ ଟଙ୍କା ଓ ପାଠ୍ୟ ପୁସ୍ତକ, ୟୁନିଫର୍ମ ଓ ମଧ୍ୟାହ୍ନ ଭୋଜନ ବାବଦକୁ ୨୫ ହଜାର ୪୧ ଟଙ୍କା ଦେଉଛି । ଏତେ ଟଙ୍କା ମିଳିବା ପରେ ବି ସ୍କୁଲ କର୍ତୃପକ୍ଷ ପାଠ୍ୟ ପୁସ୍ତକ ଓ ୟୁନିଫର୍ମ ବାବଦକୁ ଟଙ୍କା ନେଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ ।

ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଭଲ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର ଶିକ୍ଷା ଅଧିକାର ଆଇନ ବଳରେ ଘରୋଇ ଶିକ୍ଷାନୁଷ୍ଠାନରେ ମାଗଣାରେ ପାଠ ପଢିବାର ସୁଯୋଗ ଦେଉଛନ୍ତି । କିନ୍ତୁ ଅନ୍ୟପଟେ ସରକାରଙ୍କଠାରୁ ଟଙ୍କା ହାତେଇ ଏହି ଛାତ୍ରଛାତ୍ରୀଙ୍କ ଠାରୁ ମଧ୍ୟ ବିଭିନ୍ନ ଆଳରେ ଟଙ୍କା ନେଇ ମାଲାମାଲ ହେଉଛନ୍ତି ଘରୋଇ ଶିକ୍ଷାନୁଷ୍ଠାନ । ଏବେ ପ୍ରଶ୍ନ ଉଠୁଛି ଏସବୁ ଘୋଟାଲାର ତଦନ୍ତ ହେବ ତ?