କେଜ୍ରିୱାଲଙ୍କ ରିମାଣ୍ଡ ବିରୋଧରେ ଇଣ୍ଡିଆ ମେଂଟର ପ୍ରତିବାଦ । ଇଡି କାର୍ଯ୍ୟାଳୟ ସମ୍ମୁଖରେ ବିରୋଧୀଙ୍କ ଗର୍ଜନ

78

କନକ ବ୍ୟୁରୋ : ୭ଦିନିଆ ଇଡି ରିମାଣ୍ଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ରିମାଣ୍ଡରେ ନେଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ରିମାଣ୍ଡରେ ନେବା ପରେ ଇଡି ଲକଅପରେ କଟିଛି କେଜ୍ରିୱାଲଙ୍କ ରାତି ।

ହାଜତରେ କଟିଲା କେଜ୍ରିୱାଲଙ୍କ ରାତି
– ଶୋଇବାକୁ କେଜ୍ରିୱାଲଙ୍କୁ କେବଳ ଗଦି ଓ ଚଦର ହିଁ ମିଳିଥିଲା
– କେଜ୍ରିୱାଲଙ୍କୁ ଅନ୍ୟ କୌଣସି ସୁବିଧା ପ୍ରଦାନ କରାଯାଇନଥିଲା
– ରାତିରେ ଠିକ୍ ଭାବେ ଶୋଇପାରିନଥିବା ସୂଚନା
– କେଜ୍ରିୱାଲଙ୍କୁ ଖାଇବା ପାଇଁ ରାତ୍ରୀ ଭୋଜନ ମିଳିଥିଲା
– ଘରୁ ଔଷଧ ମଗାଇ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଗଲା
– ମଧୁମେହରେ ପୀଡ଼ିତ ଅଛନ୍ତି ଅରବିନ୍ଦ କେଜ୍ରିୱାଲ
– ନିୟମିତ କେଜ୍ରିୱାଲ ନେଉଥିବା ଔଷଧ ଘରୁ ମଗାଯାଇଥିଲା
– ସକାଳେ ଚା’ ଓ ଜଳଖିଆ ଅରବିନ୍ଦ ମିଳିଥିବା ସୂଚନା
– ପ୍ରତ୍ୟେକ ଦିନ ଅଧଘଂଟା କେଜ୍ରିୱାଲଙ୍କୁ ଭେଟିପାରିବେ ତାଙ୍କ ପତ୍ନୀ

ସେପଟେ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଘେରିଛି ଆପ୍ । ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମଦ ବ୍ୟବସାୟୀମାନେ ନିର୍ବାଚନୀ ବଣ୍ଡ ଜରିଆରେ ବିଜେପିକୁ ଟଙ୍କା ଦେଇଥିବା କହିଛନ୍ତି ଦିଲ୍ଲୀ ମନ୍ତ୍ରୀ ଆତିଶୀ । ଏବଂ ଏହି ମାମଲାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଗିରଫ କରିବାକୁ ଦାବି କରିଛି ଆପ୍ ।

ଅନ୍ୟପଟେ ସାମ୍ନାକୁ ଆସିଛନ୍ତି କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ । ଜେଲରୁ ଦିଲ୍ଲୀବାସିନ୍ଦାଙ୍କ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଯେଉଁ ବାର୍ତା ଦେଇଛନ୍ତି ତାକୁ ପ୍ରକାଶ କରିଛନ୍ତି ସୁନୀତା  ।

କେଜ୍ରିୱାଲଙ୍କ ଗିରଫଦାରୀକୁ ଜୋରଦାର ବିରୋଧ କରିଛି ଇଣ୍ଡିଆ ମେଂଟ । ଇଡି ମୁଖ୍ୟାଳୟ ନିକଟରେ ଜୋରଦାର ପ୍ରତିବାଦ କରିଛି ବିରୋଧୀ ମେଂଟ । ଏଥିସହ ସହିଦ ପାର୍କ ନିକଟରେ ଶହ ଶହ ଆମ ଆଦମୀ ପାର୍ଟି କର୍ମୀ ଗିରଫକୁ ବିରୋଧ କରି ବିକ୍ଷୋଭ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ପୁଲିସ ଓ ଇଡି ଆମ ଆଦମୀ ପାର୍ଟି କାର୍ଯ୍ୟାଳୟ ବାହାରେ ସୁରକ୍ଷାଛାଉଣୀ କରିବା ସହ ସିଲ କରିଛି । ଯାହାକୁ ଦଳ ବିରୋଧ କରିବା ସହ ଏହା ସମ୍ବିଧାନ ବିରୋଧୀ ବୋଲି କହିଛି ।