ପୁଣି ଆରମ୍ଭ ହେଲା କଂଗ୍ରେସ କଳି । ହେମାନନ୍ଦଙ୍କ ବିରୋଧରେ ବିଷ ଉଗାଳିଲେ କାହ୍ନୁ, କହିଲେ, ଶୃଙ୍ଖଳା କମିଟି ଅଧ୍ୟକ୍ଷ, ନିଜେ ଭାଙ୍ଗିଛନ୍ତି ଶୃଙ୍ଖଳା । କଡା ଜବାବ ଦେଲେ ହେମାନନ୍ଦ ।

209

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପରେ କଂଗ୍ରେସରେ ପରାଜୟର ସମୀକ୍ଷା ସହ ଆରମ୍ଭ ହୋଇଯାଇଛି କନ୍ଦଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ବନାମ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁ ଚରଣ ଲେଙ୍କା । ଆଜି ହେମାନନ୍ଦଙ୍କୁ ଟାର୍ଗେଟ୍ କରି କାହ୍ନୁଚରଣ କହିଛନ୍ତି, ଶୃଙ୍ଖଳା କମିଟି ଅଧ୍ୟକ୍ଷ ନିଜେ ଦଳର ଶୃଙ୍ଖଳା ଭଙ୍ଗ କରିଛନ୍ତି । ସେପଟେ କାହ୍ନୁଙ୍କ ଉପରେ ବର୍ଷିଛନ୍ତି ହେମାନନ୍ଦ । ଗୋଟିଏ ପଟେ ରାଜ୍ୟ କଂଗ୍ରେସରେ ପରାଜୟର ପୋଷ୍ଟମର୍ଟମ ଚାଲିଥିବା ବେଳେ ଦଳକୁ ପୁଣି ଫେରିଛି କନ୍ଦଳ ।

ସୁନ୍ଦରଗଡ ଟିକେଟ୍ ନେଇ ତୁ ତୁ ମେଁ ମେଁ । କଂଗ୍ରେସରେ ପୁଣି ତେଜିଲା କନ୍ଦଳ । ସାଧାରଣ ନିର୍ବାଚନରେ ରାଜ୍ୟରେ ତୃତୀୟ ସ୍ଥାନକୁ ଖସିଆସିଥିବା କଂଗ୍ରେସରେ ପୁଣି ଆରମ୍ଭ ହୋଇଯାଇଛି କନ୍ଦଳ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳଙ୍କୁ ଘେରିଛନ୍ତି ଦଳର ବରିଷ୍ଠ ନେତା କାହ୍ନୁ ଚରଣ ଲେଙ୍କା । ଆଉ ପ୍ରସଙ୍ଗ ହେଉଛି, ସୁନ୍ଦରଗଡର ଲୋକସଭା ଟିକେଟ୍ । କାହ୍ନୁଚରଣ ଅଭିଯୋଗ କରିଛନ୍ତି, ହେମାନନ୍ଦ ପ୍ରଥମେ ନିଜ ପାଇଁ ଟିକେଟ୍ ମାଗିଥିଲେ ଆଉ ତାଙ୍କୁ ନମିଳିଲେ ତାଙ୍କ ବଡ ଝିଅଙ୍କୁ ଟିକେଟ୍ ଦେବାକୁ ହାଇକମାଣ୍ଡ ପାଖରେ ଦାବି କରିଥିଲେ । ନିଜେ ଶୃଙ୍ଖଳା କମିଟି ଅଧ୍ୟକ୍ଷ ଦଳର ଶୃଙ୍ଖଳା ଭାଙ୍ଗିଥିବା ଅଭିଯୋଗ କରିଛନ୍ତି କାହ୍ନୁଚରଣ ଲେଙ୍କା । ସେପଟେ କାହ୍ନୁଙ୍କ ଅଭିଯୋଗ ପରେ ତାତି ଉଠିଛନ୍ତି ହେମାନନ୍ଦ । କହିଛନ୍ତି ମିଛ କହୁଛନ୍ତି କାହ୍ନୁ ଲେଙ୍କା । ଝିଅର ଟିକେଟ ପାଇଁ କାହାକୁ ମୁଁ ଅନୁରୋଧ କରିନାହିଁ ବୋଲି କହିଛନ୍ତି ହେମାନନ୍ଦ ।

ବିଧାନସଭା ନିର୍ବାଚନରେ ମାତ୍ର ୯ଟି ସିଟ୍ ପାଇଥିବା କଂଗ୍ରେସ, ପରାଜୟର ପୋଷ୍ଟମର୍ଟମ କରୁଛି । ପ୍ରଭାରୀ ଜିତେନ୍ଦ୍ର ସିଂ ମଧ୍ୟ ଓଡିଶା ଆସି ସମୀକ୍ଷା କରିଛନ୍ତି । ଏପଟେ ନେତା ନେତା ମଧ୍ୟରେ ଆରମ୍ଭ ହୋଇଯାଇଛି ଆରୋପ-ପ୍ରତ୍ୟାରୋପ । ସେପଟେ କଂଗ୍ରେସ ପରାଜୟର ସମୀକ୍ଷା ପାଇଁ ୨୧ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ ହୋଇଛି । ଯାହାର ଅଧ୍ୟକ୍ଷ ରହିଛନ୍ତି ନରସିଂହ ମିଶ୍ର । ଏହି ଟିମ୍ ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରି , ଦଳର ବିଫଳତାର କାରଣ ଖୋଜିବ ।