ଜାତୀୟ ଗଣମାଧ୍ୟମରେ ପ୍ରତାପଙ୍କୁ ନେଇ ଚର୍ଚ୍ଚା । କିଏ କରୁଛି ପ୍ରଂଶସା, କିଏ କରୁଛି ନିନ୍ଦା । ଉଠିଲା ଗ୍ରାହମ ଷ୍ଟେନ ହତ୍ୟା ମାମଲା, ପ୍ରତାପ କହିଲେ, କୋର୍ଟରୁ ମିଳିଛି କ୍ଲିନଚିଟ୍ ।

1,110

କନକ ବ୍ୟୁରୋ : କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ପ୍ରତାପ ଷଡଙ୍ଗୀ । ସାରା ଦେଶରୁ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି । ସେପଟେ ଓଡିଶାର ମୋଦି ଭାବରେ ସୋସିଆଲ ମିଡିଆ ସେନସେସନ ପାଲଟିଯାଇଥିବା ଏହି ବିଜେପି ମନ୍ତ୍ରୀଙ୍କୁ ନେଇ ଏବେ ଭିନ୍ନ ଚର୍ଚ୍ଚା ଅ।।ରମ୍ଭ ହୋଇଯାଇଛି । ଗ୍ରାହମ ଷ୍ଟେନ୍ସ ହତ୍ୟା ଘଟଣା ସହ ପ୍ରତାପଙ୍କୁ ଯୋଡି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ଯାହାକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ।

କିଛି ଦିନ ପୂର୍ବରୁ ଓଡ଼ିଶା ବାହାରେ ଯାହାଙ୍କ ବିଷୟରେ ଚର୍ଚ୍ଚା ନଗଣ୍ୟ ଥିଲା, କେନ୍ଦ୍ରମନ୍ତ୍ରୀ ହେବା ପରେ ସୋସିଆଲ୍ ମିଡିଆରେ ପାଲଟିଯାଇଛନ୍ତି ସେନସେସନ୍ । ସରଳ, ସନ୍ଥ ସୁଲଭ ସାଧାରଣ ଜୀବନ ଯାପନ ଲାଗି ଛୁଟୁଛି ପ୍ରଶଂସାର ସୁଅ । ବାଲେଶ୍ୱର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଦେଶର ସାଂପ୍ରତିକ ରାଜନୀତିର ସବୁଠୁ ଚର୍ଚ୍ଚିତ ଚେହେରା ପ୍ରତାପ ଷଡ଼ଙ୍ଗୀଙ୍କୁ ନେଇ ଅନେକ ଜାତୀୟ ଗଣମାଧ୍ୟମ ପ୍ରଶଂସାରେ ଶତମୁଖ ହୋଇ ପଡ଼ିଥିବା ବେଳେ କିଛି ଗଣମାଧ୍ୟମ ପୁରୁଣା ଘଟଣାକୁ ଉଖାରିଛନ୍ତି । ବିବିସି ଓ ନାସନାଲ୍ ହେରାଲ୍ଡ ପକ୍ଷରୁ ଏଭିଳି କିଛି ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଗ୍ରାହମ୍ ଷ୍ଟେନ୍ ହତ୍ୟାକାଣ୍ଡ ସହ ପ୍ରତାପ ଷଡ଼ଙ୍ଗୀଙ୍କ ନାଁକୁ ଯୋଡି ଦିଆଯାଇଛି ।

ପ୍ରତାପ ଷଡ଼ଙ୍ଗୀ: ସୋସିଆଲ୍ ମିଡିଆରେ ହିରୋ ପାଲଟିଥିବା ମନ୍ତ୍ରୀଙ୍କ ସଂଦେହ ଜନକ ଅତୀତ – ଏପରି ଶିରୋନାମାରେ ରିପୋର୍ଟ ଫାଇଲ୍ କରିଛି ବିବିସି । ସେପଟେ ଆଉ ପାଦେ ଆଗେଇ ଯାଇଛି ନାସନାଲ୍ ହେରାଲ୍ଡ, ଏହାର ଶିରୋନାମାରେ ଲେଖାଯାଇଛି-ପ୍ରତାପ ଷଡ଼ଙ୍ଗୀଙ୍କ ହାତରେ ରକ୍ତର ଦାଗ ଲାଗିଛି । ୧୯୯୯ ମସିହାରେ ଘଟିଥିଲା ଅଷ୍ଟ୍ରେଲିଆ ଖ୍ରୀଷ୍ଟିୟାନ୍ ମିସନାରୀ ଗ୍ରାହାମ୍ ଷ୍ଟେନ୍ ହତ୍ୟାକାଣ୍ଡ । ଗ୍ରାହାମ୍ ଷ୍ଟେନ୍ ଓ ତାଙ୍କର ଦୁଇ ନାବାଳକ ପୁଅକୁ ଗାଡି ଭିତରେ ଜିଅନ୍ତା ଜାଳି କିଛି କଠୋରପନ୍ଥୀ ହତ୍ୟା କରିଥିବାର ଅଭିଯୋଗ ହୋଇଥିଲା । ଏହି ମାମଲାରେ ଦାରା ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ ।

ପ୍ରତାପ ଷଡ଼ଙ୍ଗୀଙ୍କୁ ଏଇଥିପାଇଁ କିଛି ଗଣମାଧ୍ୟମ ଯୋଡିଛନ୍ତି, କାରଣ ଏହି ସମୟରେ ସେ ବଜରଙ୍ଗ ଦଳ ଓଡ଼ିଶା ଶାଖାର ସଭାପତି ଥିଲେ । ବଜରଙ୍ଗ ଦଳ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ଏହି ମାମଲାରେ କ୍ଲିନ୍ ଚିଟ୍ ମିଳିସାରିଛି । ସୁପ୍ରିମକୋର୍ଟ, ହାଇକୋର୍ଟ କିମ୍ବା ୱାର୍ଦ୍ଧା କମିସନ୍ ସମସ୍ତେ, ବଜରଙ୍ଗ ଦଳ ଏହି ଘଟଣାରେ ସଂପୃକ୍ତ ନଥିବା ଦର୍ଶାଇଛନ୍ତି । ଏବେ ପ୍ରଶ୍ନ ଉଠୁଛି, କୋର୍ଟଙ୍କ କ୍ଲିନ୍ ଚିଟ୍ ପରେ କାହିଁକି କିଛି ଗଣମାଧ୍ୟମ ଏହି ପ୍ରସଙ୍ଗକୁ ଉଠାଉଛନ୍ତି? ପ୍ରତାପ ଷଡ଼ଙ୍ଗୀଙ୍କୁ ଭିନ୍ନ ଭାବରେ ଉପସ୍ଥାପନ କରିବା ପଛରେ କ’ଣ ରହିଛି କାରଣ? ତେବେ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଏଭଳି ଅପପ୍ରଚାର କରୁଥିବା ଲୋକଙ୍କ କାମ କିଛି ନାହିଁ । ଏ ନେଇ କୋର୍ଟ ସବୁକିଛି ସ୍ପଷ୍ଟ କରିସାରିଛନ୍ତି ।