ଅର୍ପିତାଙ୍କ ଘରୁ ପୁଣି ବାହାରିଲା ପୁଳା ପୁଳା ଟଙ୍କା : ଇଡି ରେଡ୍ ବେଳେ ଠାବ ହେଲା ୨୦ କୋଟି

435

କନକ ବ୍ୟୁରୋ : ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରେ ଟଙ୍କା ଗଦା । ପଶ୍ଚିମବଙ୍ଗରେ ହୋଇଥିବା ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଆଜି ପୁଣି ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଆଉ ଏକ ଫ୍ଲାଟରେ ରେଡ୍ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି । ରେଡ୍ ବେଳେ ନଗଦ ୨୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି । ଦୁଇ ଦିନ ତଳେ ୨୦ କୋଟି ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିବା ବେଳେ ପୁଣି ତାଙ୍କ ଘରୁ କୋଟି କୋଟି ନଗଦ ଟଙ୍କା ଠାବ ହେବା ଅଧିକାରୀଙ୍କୁ ତାଜୁବ କରିଛି । ଏପର୍ଯ୍ୟନ୍ତ ନଗଦ ୪୦ କୋଟିରୁ ଅଧିକ ଟଙ୍କା ଜବତ ହୋଇ ସାରିଲାଣି ।

ତେବେ ଟଙ୍କା ଗଣା ସଂପୂର୍ଣ୍ଣ ଭାବେ ସରିନଥିବା କୁହାଯାଇଛି । ବିପୁଳ ପରିମାଣର ନଗଦ ଟଙ୍କା ଠାବ ହେବା ପରେ ୫ଟି଼ କାଉଂଟିଙ୍ଗ ମେସିନ୍ ଅଣାଯାଇଥିଲା । ବ୍ୟାଙ୍କ ଅଧିକାରୀ ଉପସ୍ଥିତ ରହି ଟଙ୍କା ଗଣାଯାଇଛି । ଫ୍ଲାଟକୁ ସିଲ୍ କରି ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପଶ୍ଚିମବଙ୍ଗ ବେଲଘରିଆ ରଥତଳାରେ ଥିବା ଯେଉଁ ଫ୍ଲାଟରେ ଇଡି ରେଡ୍ କରିଛି ତାହା ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ଅର୍ପିତା ମୁଖାର୍ଜୀଙ୍କ ନାଁରେ ରହିଛି ।

ଗତ ଶନିବାର ଦିନ ଟଲିଗଂଜ ସ୍ଥିତ ଫ୍ଲାଟରୁ ୨୧ କୋଟି ୯୦ ଲକ୍ଷ ଟଙ୍କା ସହ ୭୬ ଲକ୍ଷ ଟଙ୍କାର ସୁନା ଗହଣା ଓ ବୈଦେଶିକ ମୁଦ୍ରା ମଧ୍ୟ ଜବତ କରାଯାଇଥିଲା । ଊଭୟ ପାର୍ଥ ଚାଟାର୍ଜି ଓ ତାଙ୍କ ଘନିଷ୍ଟ ସହଯୋଗୀ ଅର୍ପିତାଙ୍କୁ ଗିରଫ କରି ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି ଇଡି । ଜବତ ହୋଇଥିବା ଟଙ୍କା ପାର୍ଥ ଚାଟାର୍ଜୀଙ୍କର ବୋଲି ପଚରାଉଚରା ବେଳେ ଅର୍ପିତା କହିଥିବା ସୂଚନା ମିଳିଛି ।