ବାହାନଗା ସ୍କୁଲରେ ଚାଲିଲା ବୁଲଡୋଜର । ଟ୍ରେନ ଦୁର୍ଘଟଣାକୁ ଆସନ୍ତାକାଲି ପୁରୁଛି ୧୦ ଦିନ । ମୃତ ଯାତ୍ରୀଙ୍କ ଆତ୍ମାର ଶାନ୍ତି ପାଇଁ ସାମୂହିକ ମୁଣ୍ଡନ ଓ ଦଶାହ କର୍ମ

449

କନକ ବ୍ୟୁରୋ: ବାହାନଗା ହାଇସ୍କୁଲରେ ଚାଲିଛି ବୁଲଡୋଜର । ସ୍ଥାନୀୟ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ସ୍କୁଲର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେଇଛି ପ୍ରଶାସନ । ସ୍କୁଲ କୋଠରୀରେ ଶବ ରଖାଯାଇଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଭିତରେ ଭୟ ରହିଛି । କିନ୍ତୁ ଦୁର୍ଘଟଣାର ସେହି କାଳରାତିକୁ ଭୁଲି ଆଗକୁ ବଢୁଛନ୍ତି ସ୍ଥାନୀୟ ବାସିନ୍ଦା । ଦୁର୍ଘଟଣାକୁ କାଲି ୧୦ ଦିନ ପୁରୁଥିବା ବେଳେ ହୋମଯଜ୍ଞ ଓ ଗଣଦଶାହ କରିବା ପାଇଁ ପ୍ରସ୍ତୁତି କରିଛନ୍ତି କିଛି ସ୍ୱେଚ୍ଛାସେବୀ ସଂଗଠନ । ଏପଟେ ଦୁର୍ଘଟଣା ପଛର ଷଡଯନ୍ତ୍ର ଉପରୁ ପରଦା ହଟାଇବାକୁ ସିବିଆଇ ତଦନ୍ତ ଜାରି ରହିଛି । ତେଣୁ ତଦନ୍ତରେ ବାଧା ସୃଷ୍ଟି ନକରିବା ପାଇଁ ବାହାନଗା ଷ୍ଟେସନକୁ ବନ୍ଦ ରଖାଯାଇଥିବା କହିଛନ୍ତି ଦକ୍ଷିଣ ପୂର୍ବ ରେଳବାଇ ପିଆରଓ ।

ଯେଉଁ ଦୁର୍ଘଟଣାକୁ ବାହାନଗାବାସୀ ଅତି ନିକଟରୁ ଦେଖିଛନ୍ତି, ଯେଉଁ ଯନ୍ତ୍ରଣାକୁ ଅତିପାଖରୁ ଅନୁଭବ କରିଛନ୍ତି, ସେଭଳି ଦିନ, ଭଗବାନ କାହାକୁ ନଦେଖାନ୍ତୁ । କାଲି ଭଳି ଲାଗୁଛି, କରମଣ୍ଡଳର କଳା କାହାଣୀକୁ ୯ ଦିନ ବିତିଯାଇଛି । ହେଲେ ସେଦିନର ଚିତ୍ର ଏବେ ବି ତାଜା ହୋଇରହିଛି । ରାତି ପାହିଲେ, ଅଘଟଣକୁ ୧୦ଦିନ ହୋଇଯିବ । ଯାତ୍ରୀଙ୍କ ସ୍ୱାଭାବିକ୍ ମୃତ୍ୟୁ ହୋଇଥିଲେ, ପ୍ରଥା ଅନୁସାରେ ମୃତକଙ୍କ ଦଶାହକର୍ମ ହୋଇଥାନ୍ତା, ସମ୍ପର୍କୀୟଙ୍କ ମୁଣ୍ଡନ ହୋଇଥାନ୍ତା । କିନ୍ତୁ ଏବେ ବି ଅନେକ ମୃତକଙ୍କ ମୁହଁ ବି ଦେଖିପାରି ନାହାଁନ୍ତି ସମ୍ପର୍କୀୟ ।

  • ମୃତକଙ୍କ ଆତ୍ମାର ଶାନ୍ତି ପାଇଁ ହେବ ସାମୁହିକ ମୁଣ୍ଡନ
  • ବାହାନଗାରେ ହେବ ଦଶାହକର୍ମ ଏବଂ ବିଶ୍ୱଶାନ୍ତି ମହାଯଜ୍ଞ

ମୃତ ଯାତ୍ରୀଙ୍କ ସଦଗତି ଏବଂ ଆହତଙ୍କ ଆରୋଗ୍ୟ କାମନା କରି ବାହାନଗାରେ ଆୟୋଜିତ ହେଉଛି ବିଶାଳ କାର୍ଯ୍ୟକ୍ରମ । ମୃତକଙ୍କ ପାଇଁ ଦଶାହ, ଶାନ୍ତି ପାଇଁ ବିଶ୍ୱଶାନ୍ତି ଯଜ୍ଞ, ଧାର୍ମିକ ପରିବେଶ ସୃଷ୍ଟି କରିବା ପାଇଁ ସଂର୍କୀର୍ତନ୍ୟ ଓ ସର୍ବଧର୍ମ ସଭାର ଆୟୋଜନ କରୁଛନ୍ତି, ବାହାନଗା, ସୋର ଓ ବାଲେଶ୍ୱରର କିଛି ସାମାଜିକ ସଂଗଠନ ।

ଏପଟେ ବାହାନଗା ଷ୍ଟେସନରେ ସାମୟିକ ଭାବେ ଟ୍ରେନର ରହଣୀକୁ ବନ୍ଦ ରଖାଯାଇଛି । ଦକ୍ଷିଣପୂର୍ବ ରେଲୱର ସିପିଆରଓ କହିଛନ୍ତି- ତଦନ୍ତ ଚାଲୁଥିବାରୁ, ଷ୍ଟେସନର ରିଲେ ରୁମ୍ ବନ୍ଦ ରହିଛି । ତେଣୁ ଷ୍ଟେସନରେ ଏବେ କୌଣସି ଟ୍ରେନ୍ ଅଟକିବ ନାହିଁ । ପରବର୍ତ୍ତି ନୋଟିସ ନଆସିବା ପର୍ଯ୍ୟନ୍ତ ଟ୍ରେନ ରହିବ ନାହିଁ । ଦୁର୍ଘଟଣାର ତଦନ୍ତ ଚାଲିଥିବାରୁ ବାହାନଗା ବଜାର ଷ୍ଟେସନରେ ଟ୍ରେନ୍ ରହିବ ନାହିଁ ବୋଲି ସୂଚନା ଦିଆଯାଇଛି ।ଅଘଟଣକୁ ଭୁଲି ଆଗକୁ ବଢ଼ିବା ହୁଏତ ବର୍ତମାନ ସମୟର ବଡ଼ ଆହ୍ୱାନ । ଆଉ ଏଦିଗରେ ଯଥୋଚିତ ଉଦ୍ୟମ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।