କର୍ଣ୍ଣାଟକରେ ବିଜେପି ଓ ଜେଡିଏସ୍ କରିବେ ମେଣ୍ଟ ! ୟେଦିୟୁରପ୍ପା ଓ କୁମାରସ୍ୱାମୀଙ୍କ ବୟାନ ପରେ ତେଜିଲା ରାଜନୀତି

630

କନକ ବ୍ୟୁରୋ : ମହାରାଷ୍ଟ୍ରରେ ରାଜନୈତିକ ଘଟଣା ପରେ ଏବେ କର୍ଣ୍ଣାଟକରେ ସେଭଳି ହେବାର ସମ୍ଭାବନା ଦେଖାଦେଇଛି । ରାଜ୍ୟର ବରିଷ୍ଠ ନେତାମାନଙ୍କର ପ୍ରତିକ୍ରିୟା ଏବେ ଏଭଳି ମାହୋଲକୁ ସରଗରମ କରିଛି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ବି.ଏସ୍ ୟେଦିୟୁରପ୍ପା ଓ ଜେଡିଏସ ମୁଖ୍ୟ ବା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍.ଡି କୁମାରସ୍ୱାମୀ ଏଭଳି କିଛି ବୟାନ ଦେଇଛନ୍ତି କି ଯାହା ଭବିଷ୍ୟତରେ ଉଭୟ ଦଳ ମଧ୍ୟରେ ମେଣ୍ଟ ସମ୍ଭାବନା ଦେଖା ଦେଇଛି ।

ସମାଚାର ଏଜେନ୍ସି ଏଏନଆଇ ମୁତାବକ ୟେଦିୟୁରପ୍ପା ମଙ୍ଗଳବାର ଦିନ କହିଛନ୍ତି କି, କୁମାର ସ୍ୱାମୀ ଯାହା କହନ୍ତି ତାହା କରିଥାନ୍ତି । ଏହାସହ ସେ କୁମାରସ୍ୱାମୀଙ୍କ ବୟାନକୁ ମଧ୍ୟ ସମର୍ଥନ କରିଛନ୍ତି । ୟେଦିୟୁରପ୍ପା କହିଛନ୍ତି କି ଆଗାମୀ ଦିନରେ କର୍ଣ୍ଣାଟକରେ ବିଜେପି ଓ ଜେଡିଏସ୍ ମିଳିତ ଭାବେ ନିର୍ବାଚନ ଲଢିବେ ।

କର୍ଣ୍ଣାଟକ ବିଧାନସଭାରେ କିଏ ହେବ ବିରୋଧୀଦଳ ନେତା ଏହି ପ୍ରଶ୍ନର ଉତ୍ତର ଦେଇ ୟେଦିୟୁରପ୍ପା କହିଛନ୍ତି କି, ମଙ୍ଗଳବାର ସନ୍ଧ୍ୟା କିମ୍ବା ବୁଧବାର ସକାଳେ ଏନେଇ ନିଷ୍ପତ୍ତି ନିଆଯିବ । ଏହା ପୂର୍ବରୁ କୁମାର ସ୍ୱାମୀ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଥିଲେ । ସେ କହିଥିଲେ କି ମହାରାଷ୍ଟ୍ରରେ ଯାହା ଘଟିଲା ତାହା କର୍ଣ୍ଣାଟକରେ ମଧ୍ୟ ଘଟିପାରେ । ସେଠାରେ ଅଜିତ ପାୱାରଙ୍କ ଭଳି କର୍ଣ୍ଣାଟକ ରାଜନୀତିରେ ଜଣେ ଅଜିତ୍ ପାୱାର ଥିବା କଥା ସେ କହିଛନ୍ତି ।